କବିତା ୩୬
Saved places & passages
Select words to underline them. Saved on this device.
ବୀରବାଦ୍ୟ ବାଜୁଛି,
ରାଜଧାନୀ
ରାଜାରାଣୀଟିଏ ପରି ଦିଶୁଛି ।
ଏଇତ ଚିତ୍କାରୁଥିଲା
ରାସ୍ତାଧାରରେ
ଗଲାକାଲି :
ମୁକ୍ତି ଦିଅ ରକ୍ତ ନିଅ,
ଅସୁମାରି ମଣିଷର ସ୍ଵର
ପ୍ରତିଧ୍ନି ଶୁଣାଉଥିଲା:
ରକ୍ତ ନିଅ, ରକ୍ତ ନିଅ ।
ପୋଲିସ ହାତରେ ଲାଠି
ତାଂକୁ କେତେବେଳେ ଖେଦୁଥିଲା
ଘାଏ ପଛକୁ ତ
କେତେବେଳେ
ପିଠିର ମାଂସଳ ଶେଯରେ
ନାଚି ଉଠୁଥିଲା କ୍ରୋଧରେ,
ରକ୍ତ କ୍ଷରଣରେ ।
ହଁ, ଇଏ ସେଇ ଲୋକ,
ଆଜି ମାଡ଼ିଆସୁଛି ରାଜାର ଠାଣିରେ ।
ପୋଲିସବାଲାଂକୁ ତର ସହୁନାହିଁ
ଅଂତରଂଗ ଭୃତ୍ୟ ପରି
ହସିଲା ମୁଁହରେ ସେଲ୍ୟୁଟ ଠୁଂକି
ଟେକିନେଇ ଶୁଆଇଦେବାକୁ ତାଂକୁ
ବୈକୁଂଠପୁର ପରି ସଜା ହୋଇଥିବା
ଲୋଭନୀୟ ସିଂହାସନ ଉପରେ,
ଆଟୋପରେ ।
‘ଅନଂତ ଶୟନ’ର ସମାନ ଚିତ୍ରଟିଏ ଅବା
ତୋଳିଧରିବା ପାଇଁ
ମୁକ୍ତିକାମୀ ପ୍ରଜାଂକ ପ୍ରାଣରେ ।
Page 37
