Singhasanସିଂହାସନ

Within the book

Back cover

Poem 38 of 68

କବିତା ୩୮

ଲହୁରେ ଭାସୁଛି ରାସ୍ତା
ଦିଗବଳୟ ଲୋହିତ ଦିଶୁଛି,
ଆକାଶରେ ବେଲୁନ୍ ଉଡ଼ୁଛି ।

ସଭାରେ
ଶୋଭାଯାତ୍ରାରେ
ଉଚ୍ଚାରଣରେ
ଉଚ୍ଚାଟନରେ
ପ୍ରାଚୀରପତ୍ରମାନଂକରେ
ଶବ୍ଦମାନଂକ ମେଲଣ,
ପ୍ରଦର୍ଶନୀର ଅସୁଂଦର ପ୍ରତିଯୋଗିତାରେ
‘ନିର୍ବାଚନ’-
ଗୋଟିଏ ବୋଲି ନୁଆ ଶବ୍ଦ
ପରିବେଶକୁ ଜଳାଇ ରଖିଛି,
ତାତିରେ ଖଉ ଫୁଟୁଛି,
ହତ୍ୟାର ହୋରି ଖେଳରେ
ଶବମାନଂକୁ ପ୍ରେତ ଶୁଆଇ ଦେଉଛି
ଘରେ,
ବାହାରେ,
ଶ୍ମଶାନ ପରି ଦିଶୁଥିବା
ଦେଶ ଗୋଟାକରେ ।
ଲୁହ ଶୁଖି ଆସୁଥିବା
ନିଷ୍କରୁଣ ପବନରେ
ହିମବଂତର ପାଦଦେଶରେ
କି ମହାସାଗରର ତଟନେଶରେ
ମହାଭାରତର ସୀମାରେ
ସୀମାଂତର ପେଚାରୀ ଛାଇରେ
ବୃହତ୍ତମ ଗଣତଂତ୍ରର କୋଟିଏ ସଂତାନ
କାନତରାଟି ଠିଆ ହୋଇଛଂତି,
କୁହୁଡ଼ିଏ ଆତଂକରେ,
ଭୋକିଲା ପେଟରେ
ଖବର ଶୁଣିବେ:
କାହା ଭାଗ୍ୟେ ଫିଟିଲା ସିଂହାସନ
ଜନ-ଗଣ-ମନ-ଅଧିନାୟକର
ଅଖଂଡ ସଂମାନ ।

Share this poem