କବିତା ୪୦
Saved places & passages
Select words to underline them. Saved on this device.
ସେ ଅଂଟା ସଳଖି ବସିଲା
ଦରବାରରେ,
ଶତ୍ରୁମାନଂକୁ ସେଇ ସୁଯୋଗରେ
ଉଡ଼ାଇଦେବାର ମଂତ୍ରଣା
ଜାରି ଥିଲାବେଳେ ।
କେଉଁ ନାକ ପୁଡ଼ାକୁ
ପବନ ରୁଂଧିଛି,
କେଉଁ ନାକ ପୁଡ଼ାରୁ
ସ୍ଵଚ୍ଛଂଦରେ ପବନ ନିର୍ଗତ ହେଉଛି
ପରଖିଲା ବେଳକୁ
ସବୁ ଓଲଟପାଲଟ ହୋଇଗଲା-
ସୋଦରଟିଏ ଆଉଁଶିଲା ପରି
ଆଉଁଶି ଦେଉଥିବା
ପ୍ରତିପକ୍ଷ ନାରୀର ଭୋଜବିଦ୍ୟା
ଆଂବଟାକୁଆ ପରି
ଫିଂଗିଦେଲା ତାକୁ
ସିଂହାସନରୁ ରାସ୍ତା ଉପରକୁ,
ଯେତେବେଳେ
କାଂଦିବା ପାଇଁ ଅବା ହସିଦେବା ପାଇଁ
ସିଏ ଟିକିଏ ବି ପ୍ରସ୍ତୁତ ନ ଥିଲା ।
ମଦନ ନ ଥିଲା,
ଦେହ କଂପୁଥିଲା ।
ତଥାପି ସିଏ କେତେ ଖୁସି ହୋଇ ନ ଥିଲା-
ମୁହୂର୍ତକ ପାଇଁ ହେଲେ ବି
ଅଭିଳାଷ ପୂରଣ ହେଲା ତ!
Page 41
