Singhasanସିଂହାସନ

Within the book

Back cover

Poem 09 of 68

କବିତା ୯

ଚତୁରୀ ପୋଇଲି ଚେତାଇ ଦେଲା:
ଆଉ ସେବା ନୁହେଁ
ପ୍ରତିଦାନର କଉଡ଼ି ମାଗିନେବାର ପାଳି ।

ଆଃ,
କଉଡ଼ି କୁହୁକ ଦେଖାଇ ଦେଲା,
ମା’କୁ କରିଦେଲା କୈକେୟି,
କୈକେୟି
ଓଲଟ ପାଲଟ କରିଦେଲା ଭାଗ୍ୟ-
ରାଜାର, ରାଜ୍ୟର, ସିଂହାସନର ।

ଆଉ କିଛି ବି ସତ୍ୟ ନୁହେଁ
ଏ ରାଜକୀୟ ଖେଳରେ,
ସତ୍ୟ ଖାଲି
ଭୟ ଆଉ ଅହଂକାର ।

ଆଦର୍ଶର ସୁନାମୁକୁଟ
କେତେବେଳେ
ପିତୃହତ୍ୟାର କାରଣ ତ
କେତେବେଳେ
ସୁନାନାକ କାଟିଦେବାର
ଶ୍ଳେଷ ବାକ୍ୟଟିଏ,
ସୁନା ହରିଣ ପଛରେ ଧାଉଁ ଧାଉଁ
ଯୁଦ୍ଧର ନିଆଁ ଜାଳିଦିଏ,
ସ୍ତ୍ରୀକୁ ଠେଲି ଦେଇ ନିଆଁକୁ
ସୁବର୍ଣ୍ଣ ବିମ୍ବଟିଏ ତା’ର
ଗଢ଼ାଇ ଥୋଇଦିଏ
ମୁଖ୍ୟ ଫାଟକରେ,
ପରାକ୍ରମର
ରାଜସୂୟ ଯଜ୍ଞରେ ।

“ମାଟି ତୁ’ ଫାଟି ଯା”ର କାରୁଣ୍ୟ
ଚାପି ହୋଇଯାଏ
ମହର୍ଷି ଦେବର୍ଷିମାନଂକର
ମଂତ୍ରଣାରେ,
ମଂତ୍ର ପାଠରେ,
ଲବକୁଶମାନଂକର
ପିତୃ ପରିଚୟ
ପାଇବାରେ,
ବିଜୟ ବାଦ୍ୟରେ ।

Share this poem