କବିତା ୮
Saved places & passages
Select words to underline them. Saved on this device.
ହସ୍ତିନା କି ଇଂଦ୍ରପ୍ରସ୍ଥ
ସାମ୍ରାଜ୍ୟ କି ସୂଚ୍ୟଗ୍ର ମେଦିନୀ
ମହାକାବ୍ୟର ଅସଲ ରହସ୍ୟ ନଥିଲା ।
ରାଜସଭାରେ ଥରୁଟିଏ
ଗୋଟାଏ ନାରୀକୁ ଉଲଗ୍ନ କରିବା
ଏମିତି କିଛି ବଡ଼ ପାପ ବି ନ ଥିଲା ।
ସମର୍ପଣ ନା ବିଦ୍ରୋହ-
ମୂଳ ପ୍ରଶ୍ନରୁ ଖିଅ ବାହାରିଲା:
ସହସ୍ରସୂର୍ଯର ମହାରୂପ
ଗୋଟାଏ ରୂପରେ ଦେଖିବୁ
ନା ଡୁବିବୁ
ବ୍ୟାସ ସରୋବରରେ?
ଡିଂଡିମ ପିଟା ସରିଥିବା
ସାମର୍ଥ୍ୟର
କୀର୍ଡନ ଗାଇବୁ
ନା ଉବୁଟୁବୁ ହେବୁ
ରକ୍ତ ନଦୀରେ?
ମୁଁ କାର୍ଯ ଓ କାରଣ,
ତୁ ନିମିତ୍ତ ମାତ୍ର-
ସ୍ଵୀକାର କରିବୁ
ନା ଅଂଧପଟି ଖୋଲିଲା ବେଳେ
ତୋ’ ଜନନୀର
ଜ୍ବାଳାମୁଖୀ ଜଠରରୁ
ଶେଷ ସହୋଦରର
ଭସ୍ମକୁ ସାଉଁଟିବୁ?
ସର୍ବତୋ ଭାବେ
ଗୋଟାଏ ମେଘବର୍ଣ୍ଣ ଗଗନର,
ବିଶ୍ଵାଧାରା ଶଶିବର୍ଣ୍ଣ ଚତୁର୍ଭୁଜ ରୂପର,
ଅନଂତଶୟନ ଚିତ୍ରର
ସାର୍ବଭୌମତ୍ବକୁ
ସ୍ଵୀକାର କରିବୁ ତ
ମୁହୁର୍ତେ ଲାଗିବନାହିଁ
ହାତ ଟେକିଦେବାକୁ
ବରାଭୟ ମୁଦ୍ରାରେ,
ଘୋଷଣା କରିଦେବାକୁ:
ଏ ଆର୍ଯାବର୍ତ ତୋ’ର
ଏ ଯଜ୍ଞଫଳ ତୋ’ର
ପରମ ପରାକ୍ରମ ତୋ’ର ।
କଥାଟା ଛିଡ଼ିପାରିଲା ନାହିଁ
ସେଇଠି ବୋଲି ତ
ଯୁଗ ଯୁଗ ବିତିଗଲାଣି,
ଲେଖାହେଉଛି ମହାକାବ୍ୟ
ଶବ୍ଦର ଭିନ୍ନ ଭିନ୍ନ ଅର୍ଥରେ
ଅର୍ଥପୂର୍ଣ୍ଣ ଶବ୍ଦରେ,
କାଳର କାରୁଣ୍ୟରେ,
ବିଘ୍ନବିନାଶକମାନଂକ
ସୂକ୍ଷ୍ମ ଲେଖନୀ ମୁନରେ ।
Page 09
