Singhasanସିଂହାସନ

Within the book

Back cover

Poem 06 of 68

କବିତା ୬

ସଂଜୟ!
ଯେତେ ଦାରୁଣ ହେଲେ ବି
ଯୁଦ୍ଧ ଭୂମିର ନିରୋଳା ସଂବାଦମାନ
ଶୁଣାଉଥାଅ,
ମୋତେ ବୁଝାଅ ନାହିଁ
ରାତି ଅବା ଦିନ ।
ମୁଁ ଶୁଣୁଥାଏଁ,
ଅନୁଭବୁ ଥାଏଁ
ଆତ୍ମଜମାନଂକର
ମରଣ କାହାଣୀ
ଓ ଆହ୍ଲାଦିତ ହେଉଥାଏଁ
ସିଂହାସନ ସ୍ଵପ୍ନରେ ।

ଯିଏ ଯେତେ ଯେଉଁଠି ଅଛ
ମୋତେ ଜଲ୍ଲାଦ କହୁଛ ତ କହ,
କହୁଥାଅ,
ଚିତକାରୁଥାଅ,
ତୁମ ଘୃଣାର ନାମାବଳିକୁ
ଘୋଡ଼େଇ ହୋଇ ଦେହରେ
ଧୃତରାଷ୍ଟ୍ର ମୁଁ ବଂଚିଥାଏଁ,
ପୁତ୍ର, ପୌତ୍ର, ପ୍ରପୌତ୍ରମାନଂକ ପାଇଁ
ସ୍ଥାବର ଅସ୍ଥାବର ସଂପତ୍ତିକୁ,
ମୋ’ ଅଂଧପଣକୁ
ଜାବୋଡ଼ି ବସିଥାଏଁ
କଂଟାର ମୁକୁଟ ପିଂଧି
ଖର ନିଃଶ୍ଵାସରେ
ରାଜ ପ୍ରାସାଦରେ ।

ତୁମକୁ
ଶତ ବାର
ସହସ୍ର ବାର
ପ୍ରଣାମ ବ୍ୟାସ!
ଧୃତରାଷ୍ଟ୍ରଟିଏ
ଗଢ଼ି ନଥିଲେ, କହ
କିଏ ଦେଇଥାଆଂତା
ସୁଯୋଗ ଆମକୁ
ତୁମକୁ
ଏ ମହାନ ଦେଶକୁ
ପଚାରିବାକୁ
ଆଗାମୀର ପ୍ରଶ୍ନଟିଏ
ପିତାମହଂକୁ?
ବୁଣିବାକୁ
ହସ୍ତିନାପୁରର ଖବର
ସଚରାଚର?
ପାଂଚସସ୍ର ବର୍ଷପରେ ବି

ସେ ମାଟିରେ
ଶଂଖଧ୍ନିରୁ
ସିଂହନାଦରେ
ସିଂହାସନ ଦିଶୁଥାଆଂତା
ଉଜ୍ଜ୍ବଳ ପୁଣି ଆପଣାର!

Share this poem