Singhasanସିଂହାସନ

Within the book

Back cover

Poem 50 of 68

କବିତା ୫୦

“ମଧୁର ବିନୟ ବଚନ
କହି ତୋଷିବ ଜନମନ”-
ସେ ଶିଖିଥିଲେ ମଧୁ-ବର୍ଣବୋଧରୁ,
ଏବେ ଶୁଣ ପରବର୍ତୀ ଜୀବନ ଜିଜ୍ଞାସାରେ
କିପରି କଲେ ତା’ର ମଧୁର ରୁପାୟନ ।

ଶସ୍ୟଶାମଳା ପୃଥିବୀ ପରି
କଂଠ କୋମଳ ଥିଲା,
ଧଳା ହସରୁ ଖଂଡେ ବି ଲାଖି ରହିଥିଲା ମୁଁହରେ,
ଆରଂଭରୁ ନାଟକୀୟ ଜଣା ପଡ଼ୁଥିଲା
ତାଂକ କହିବାର ବାଗ:
ହଃେ, ଖାଲି ଟିକେ ହାତ ବଢ଼ାଇଦିଅନା,
ମୁଁ ଉଠିଯାଏଁ ଶିଖରକୁ,
ଖଜୁରୀ ଗଛର ଗଂଡି ଭଳି ଟିକେ ଶୋଇଯାଅନା
ପ୍ରଶ୍ଵାସର ପବନକୁ ରୋକି ଯୋଗମୁଦ୍ରାରେ,
ମୁଁ ପାହାଚ ଚଢ଼ିଲାଭଳି ଚଢ଼ିଯାଏଁ ପାହାଡ଼
ନରମ ପାଦ ପକାଇ ତୁମ ପିଠିରେ ।

ଥିଲା ପୁଣି ରାଜକୀୟ ଗାଂଭୀର୍ଯ:
ପ୍ରତିଶୃତି ଦେଉଛି
ଲିଭାଇ ଦେବି ଦେଶରୁ ଜଳୁଥିବା ସବୁ ଅଂଧାର,
ଜଳସ୍ଥଳ ଆକାଶ-ଯୋଡ଼ିଦେବି,
ନିର୍ମାଣିଦେବି ପ୍ରେମ-ବିହାର ।
ମୈଥୁନକୁ
ବୟସ ଓ ମର୍ଯାଦାର ପାହାଚରେ ନ ମାପି
ତା’ ପାଇଁ ନୂଆ ନୂଆ ସଂଜ୍ଞାମାନ ସଂରଚନା କରିଦେବି,
ମୁକ୍ତ ପ୍ରେମ, ମୁକ୍ତ କବିତା-ନୁଆ ଚେତନାଟିଏ
ସର୍ଜିବାର ଇଚ୍ଛାଥିଲା ବହୁତ ଦିନରୁ,
ଭାବୁଛି ସବୁ ହୋଇଯିବ
ଖାଲି ମାଟି ଚାଖଂଡକରେ ଗୋଡ଼ ପୋତି
ଠିଆହୋଇଗଲେ ।

ତେଣିକି
ସ୍ଥାବର ଜଂଗମ କୀଟ ପତଂଗମାନଂକୁ
ମୁକ୍ତ କରିଦେବି ତୁମରି ସେବାରେ,
ମହୁର ଝରଣା ବୁହାଇଦେବି ଜନପଦରେ
ମହୁଲି ନିଶା ଜନପଥରେ, ଜହ୍ନରାତିରେ ।
କ୍ଷୁଧା ଓ ଅଭାବ କେବେ ଘାରିବ ନାହିଁ ଦେଶକୁ,
ତା’ ପାଇଁ ଗଢ଼ା ଶବ୍ଦ ପ୍ରତିଶବ୍ଦମାନଂକୁ
ଉଠାଇଦେବି ଅଭିଧାନର ନୂଆ ସଂସ୍କରଣରୁ,
ଜ୍ଞାନ ଆହୋରଣ ପାଇଁ
ସଂଚାର-ବିକାଶ-ଜାଲରେ ଛଂଦିଦେବି ତାରୁଣ୍ୟକୁ,
ଟିକେ ଚଢ଼ା ଦରରେ ହେଲେ ବି
ଦକ୍ଷତାର ପ୍ରାମଣପତ୍ର
ରକମ୍ ରକମ୍ କରି ଛାପି

ଛାଡ଼ିଦେବି ବଜାରକୁ ବିକ୍ରି ପାଇଁ ।
ସ୍ବାସ୍ଥ୍ୟରକ୍ଷାର ସୁଦୂର ପ୍ରସାରୀ ନେଟୱାର୍କରେ
ରୋଗଜୀବାଣୁମାନଂକୁ ସାଇତିଦେବି କାପସୁଲରେ,
ଦେଶରକ୍ଷା ଦପ୍ତରରେ,
ବେପାର ବଣିଜ ପାଇଁ ଦେଶ ବିଦେଶରୁ
ଆକର୍ଷି ଆଣିବି ଜାହାଜମାନଂକୁ ଆମ ବଂଦରକୁ ।
ମହାପୁରୁଷମାନଂକ ଜିନରୁ
ମହାବୀର୍ଯ ନିର୍ମାଣକୌଶଳ ହାସଲ କରିବା ପାଇଁ
ତାଗିଦ୍ କରିଦେବି ବୈଜ୍ଞାନିକମାନଂକୁ ।
ବୀର୍ଯ ଶୁଳ୍କ ବସାଇ ଦେବି
ଯେମିତି ସଂଭ୍ରାଂତ ମା’ମାନେ ଇଚ୍ଛାମୁତାବକ
ବ୍ୟାସ ବାଲ୍ମିକି କର୍ଣ ଏକଲବ୍ୟ ଅବା
ବୁଦ୍ଧ ଗାଂଧି ଓ ଆଇନଷ୍ଟାଇନମାନଂକୁ
ଧାରଣ କରି ପାରିବେ ଗର୍ଭରେ ।
ଆମ ପାଣି ପବନକୁ ଗୋଳିଆ ନ କରି
ତେଜସ୍କ୍ରିୟ ବୋମା ନିର୍ମାଣର ଅଧିକାର
ଓ ଏ ବୃହତ୍ତମ ଗଣତଂତ୍ରର ସୁରକ୍ଷା ଭାର
ଟେକିଦେବି ପୃଥିବୀର ବୃହତ୍ତମ ରାଷ୍ଟ୍ରକୁ
ଯେମିତି ସୁଖନିଦ୍ରା ସବୁଦିନ ପାଇଁ ମିଳିବ
ଦେଶବାସୀଂକୁ ।
ବିଶ୍ଵଶାଂତି ପ୍ରତିଷ୍ଠା ପାଇଁ
କେତେବେଳେ ଅଣୁଯୁଦ୍ଧ ତ
କେତେବେଳେ ଯୁଦ୍ଧ ନିରୋଧ ରାଜିନାମାରେ
ହସ୍ତାକ୍ଷର ଲେଖିଦେବି,
ଆଗାମୀର ସୁଖସଂଭାବନାକୁ
ଦେଖିବାକୁ ତୁମ ପ୍ରଚଂଡ ସ୍ଵପ୍ନରେ,
ଅଧିକୃତ ସୀମାରେଖା ସେପାଖରେ
ଘଡ଼ିଏ ହେଲେ ବି ଅଟକାଇ ଦେବି ମୃତ୍ୟୁକୁ ।

ଦେଖାଇ ଦେବି ମୋ ବାଁ ହାତର ଖେଳ ।

ମୋର ଡାକ ଶୁଣି
ତୁମେ ଖାଲି ଟିକେ ଦଉଡ଼ି ଆସ ନା,
ହାତରେ ହାତ ମିଳାଇ

(“ହେ ବଂଧୁ, ମିଳାଅ ହାତ
ଆଲୋକ ଅଂଧାରେ….. ।”)
ଜିଂଦାବାଦଟିଏ ପକାଅ ନା ।
ତୁମେ ସବୁ ମିଳିମିଶି
ମତେ ଟିକେ ଛୁଇଁଦିଅ ନା!
ତୁମ ଛୁଇଁବାର ଯାଦୁରେ
ମୁଁ ପେଂଡୁଟିଏ ପରି
ଉଠିବାର ଖେଳକୁ ଆଗ ଦେଖାଇଦିଏଁ
ପ୍ରତିପକ୍ଷକୁ ।
ମୁଁ ତ ନିମିତ୍ତ ମାତ୍ର,
ସିଂହାସନ ତୁମର!

Share this poem