କବିତା ୫୧
Saved places & passages
Select words to underline them. Saved on this device.
ଚଉକିରେ ବସିଥିଲେ ବି
ଅହଂକାର ଦୋହଲୁଥାଏ ସିଂହାସନର ।
ଆଉ ଖସି ପଡ଼ିଲେ
ନା ଚଉକି ନା ସମ୍ରାଟ
କିଏ ପଚାରେ କାହାକୁ!
ନା ଥାଏ ଭେକ ନା ଥାଳ
ନା ପାଟଛତି ନା ମୁକୁଟ,
ସମ୍ରାଟ ଚପରାସୀ ପରି ଦିଶୁଥାଆଂତି
ଚାଲିଗଲାବେଳେ ରାସ୍ତାରେ ଦୁଇହାତ ଯୋଡ଼ି ।
ସେତିକିରେ ସରିଯାଏ ନାହିଁ କଥା ।
ରାଜା ପୁଣି ଭିତରର ଭୋକକୁ
ସଉଦା କରି ଦିଅଂତି ହାଟରେ,
ଦୁଆର ଦୁଆର ବୁଲୁଥିଲାବେଳେ
ନିର୍ଲଜ୍ଜପଣକୁ ଦେଖାଇ ଦିଅଂତି
ତାଂକୁ ଆଡ଼ ଆଖିରେ ବି ଅନାଉ ନ ଥିବା
ରାମା ଦାମା ଶାମାଂକ ଆଗରେ:
ଆଉ ଥରକ ପାଇଁ ସୁଯୋଗଟେ ଦିଅ,
ମାତ୍ର ଥରକ ପାଇଁ,
ଦେଖିବ କେମିତି ଭେଳିକି ଲଗାଇଦେବି
ଶତ୍ରୁ ଶିବିରରେ,
ନିଆଁ ଜଳାଇ ଦେବି ପଡ଼ୋଶୀ ରାଜ୍ୟରେ,
ଦେଶର ଓଜନ ବଢ଼ାଇ ଦେବି
ବିଶ୍ଵ ଦରବାରରେ ।
କିଏ କେବେ ବୁଝିଥିଲା ନା ବୁଝିବାକୁ ଚାହିଁବ
ଭାଷାର କୋଣାର୍କ ତଳେ
ଚାପି ହୋଇଥିବା
ଚକ୍ରାଂତର ଏ ରାଜକୀୟ ରହସ୍ୟ:
ପ୍ରାଣ ଡାକେ ମାଡ଼ିଯିବା ପାଇଁ,
ବଳାତ୍କାରେ ଚଉକିକୁ
ସିଂହାସନ କରିଦେବା ପାଇଁ ।
Page 52
