Singhasanସିଂହାସନ

Within the book

Back cover

Poem 66 of 68

କବିତା ୬୬

ତେଣୁ ଆଦେଶ ପାଳିବାକୁ ହେବ ।
ଗୁଳି ଫୁଟାଇ ବିଚ୍ ରାସ୍ତାରେ
କୁକୁର ପରି ତାଂକୁ ମାରିବାକୁ ହେବ,
ରୁଦ୍ଧ ଦ୍ବାର ଭିତରେ ବିଷ ଧୂଆଁ ଦେଇ
ତାଂକୁ ନିଃଶେଷ କରିବାକୁ ହେବ,
ପୋଡ଼ିଦେବାକୁ ହେବ ତାଂକ ପୂଜା ମଂଡପକୁ ।
ସେମାନେ ଯୋଗ୍ୟ ନୁହଂତି ଯଜ୍ଞ ରଚନା କରିବା ପାଇଁ ।
କାରଣ ସେମାନେ ନୀଚ ଯୋନିର,
ତେଣୁ ଅଶୁଦ୍ଧ ରକ୍ତର ।

ପ୍ରତିବାଦ କରିପାରିବ ନାହିଁ,
କଲେ ମିତ୍ରପକ୍ଷର ତାଲିକାରୁ କଟିଯିବ ନାମ ।
ଶୁଣିପାରିବନାହିଁ ସେ ଆର୍ତ ଚିତ୍କାରର ସ୍ଵର,
ପ୍ରତିଦିନ ଶୁଣାଯାଉଥିବା ସବୁ ପରିଚିତ
ସଂପର୍କର ସ୍ଵରଠାରୁ ଭିନ୍ନ ସେଇ ସ୍ଵର ।
ଚାହିଁ ପାରିବନାହିଁ ସେ ଉତ୍ପିଡ଼ିତ ଲୋକଂକ ଆଖି
ତୁମ ସମବେଦନାର ଲୁହପୂର୍ଣ ଆଖିରେ,
କହି ପାରିବ ନାହିଁ-ତୁମେ ଭାରି ଦୁଃଖିତ ବୋଲି,
ସହି ପାରିବ ନାହିଁ, ନିଜକୁ ବୁଝାଇପାରିବ ନାହିଁ
ତୁମ ଅସାମର୍ଥ୍ୟ ।

ଅଥଚ ଅଭ୍ୟାସରେ ପଡ଼ିଯିବ
ସବୁକୁ ଆଖି ବୁଜି ଦେବାର ଅଲାଜୁକପଣ,
କାଳ କଟିଯିବ ପିଲାକବିଲାଂକୁ ଏସବୁ ନ କହି
ଚାମଚେ ଚାମଚେ କ୍ଷୀର ଢୋକେଇଦେବାରେ
ଢୋକେ ଢୋକେ ପାଣି କଳପାଟିଆ କରି
ତେଂଡେଇଦେବାରେ,
ତାଂକ ଦାନାକନା ପାଇଁ ‘ଭବିଷ୍ୟ ନିଧି’ରେ
ଆଖି ପୂରିଲାଭଳି କିଛିକିଛି ସାଇତି ଯିବାରେ ।

“ମୁଁ କିଏ କି”?- ନିଜକୁ ବୁଝାଇ ଦେବ,
“ଛାର କିଂକରଟାଏ ଆଦେଶ ପାଳନର ।
ଉତ୍ପୀଡ଼ନର ଲୋମହର୍ଷଣକାରୀ ଦୃଶ୍ୟଦେଖିବାକୁ
କି ଧାରା ବିବରଣୀ ଶୁଣିବାକୁ ମୋର ଜନ୍ମ ।
ମୁଁ ତ ବିକି ଦେଇଛି ନିଜକୁ ଗୋଟାପଣ,
କେଉଁଠି ଆଉ ସ୍ଵରଟିଏ ଅଛି ଯେ
ଭାଗିଂଦେବ ଛତ୍ରପତିର ଦାରୁଣ ସିଂହାସନ?”

Share this poem