Singhasanସିଂହାସନ

Within the book

Back cover

Poem 67 of 68

କବିତା ୬୭

ଖସାଇ ଦେବାର ଘୋଡ଼ା ବେପାର
ନା ଚଢ଼ିଯିବାର ଘୋଡ଼ା ଦଉଡ଼
କେଉଁ ଖେଳଟା ବେଶି ଚମତ୍କାର?
ଦର୍ଶକ ଗ୍ୟାଲେରି ଭରପୂର,
ତାଳି ମାରିବେ,
ବସିରହିଛଂତି ଦଳେ ଭାଡୁଆ କୁକୁର ।
ଆଂଠୁ ଛିଡ଼ି ପଡ଼ୁଥିବ,
ଖୋଷଣି ଫିଟି ଯାଉଥିବ,
ଖେଳୁ ଖେଳୁ କିଏ ଗୋଡ଼ ଟାଣି ଦେଉଥିବ
ତ କିଏ ଅଣଚାଶ ପବନ ପରି
ପଛରୁ ଆସି ମାଡ଼ି ଯାଉଥିବା ସବା ଆଗକୁ
ଅର୍ଘାସୁର ପରି ବାଡ଼ ହୋଇ
ଠିଆ ହୋଇଯାଉଥିବା ରାସ୍ତାରେ,
କେଂପା ହାତରେ ଛୁରିଟାକୁ ହଲାଇ
କିଏ ଛେଳିକୁ କୁକୁର କହୁଥିବ,
ଛୋଟାମାନଂକ ପଟୁଆରରେ
ପୃଥିବୀ ଦୋହଲୁଥିବ,
ବଡ଼ବଡ଼ କୁଜମାନଂକୁ ଦେଖାଇ
ବର୍ଣାଢ୍ୟ ଆଗ ଧାଡ଼ିରୁ
କିଏ ଅନୁନାସିକ ସ୍ଵରରେ
ଶୁଷୁରି ଫୁଂକୁଥିବ,
ଦର୍ଶନୀୟ ଆବୁମାନଂକୁ ଆଉଁଶିଦେବା ପାଇଁ
କିଏ ପୋଇଲି ପଢ଼ିଆର କରି ଖଂଜି ଦେଉଥିବ,
କିଏ ହାତ ପାପୁଲିରେ ବଜ୍ର ଧରିଲାଭଳି
ପାଦଟେକି ଠିଆ ହୋଇଥିବ ।
କିଏ ଚାଁହିଦେଲେ ମେଘ ବରଷିଯିବାର
ରୁଦ୍ର କଟାକ୍ଷ ହାଣି ଦେଉଥିବ,
କିଏ ଛେଳି ପାଦରେ କଦ୍ମତାଲ ପକାଇବାକୁ
ଲହୁଲୁହାଣ ହେଉଥିବ,
ଦାଂତୁରୀମାନଂକ ମହୁମୁହାଣରେ
ହସ କାଂଦ ବୁଝି ହେଉ ନ ଥିବ,
ଛୋଟୀ କାନ ପାରିଥିବ,
ଶ୍ରୀମତି ଡାକ ଶୁଣି
ହାତରେ ‘ଓଡ଼ିଶୀ’ ମୁଦ୍ରା, ‘ଭାରତନାଟ୍ୟମ୍’
ନାଚିଦେବା ପାଇଁ ଗୋଡ଼ ଟେକି ଦେବ ।

ଦୃଶ୍ୟ ଉପଭୋଗ୍ୟ ହେଉଥିବ ।

ସେଇ ନିର୍ବିକଳ୍ପ ମୁହୂର୍ତମାନଂକ ଖେଳ ଦେଖି
ସିଂହାସନ ନିଃଶ୍ଵାସ ମାରୁ ମାରୁ
ତତ୍ତ୍ବଦର୍ଶୀଟିଏ ପରି ଶୁଣାଇ ଦେଉ‌ଥିବ ଶୂନ୍ୟକୁ:
ଏମିତି ଅନଂତ କାଳ ପାଇଁ
ମଣିଷମାନଂକର ଅପୌରୁଷ ଘୋଡ଼ା ଦଉଡ଼
ଲାଗି ରହିଥାଉ
ଶୂନ୍ୟ ପଡ଼ିଥିବା ସିଂହାସନ ପାଇଁ,

ଶୂନ୍ୟରେ ଦୋହଲୁଥିବା,
ଶୂନ୍ୟକୁ ଦୋହଲାଉଥିବା
ଭାଗ୍ୟ ଟିକକ ପାଇଁ ।

Share this poem