କବିତା ୪୬
Saved places & passages
Select words to underline them. Saved on this device.
ଏବେ ସାରା ଦେଶରେ
ପ୍ରେତ ମାତିବାର ଗୁଜବ ।
ବଜାର ବଂଦ
ତାଟିକବାଟ ବଂଦ
ସହସ୍ରକୋଟି ତାରା
ସହସ୍ରସୂର୍ଯର ତେଜ
ଗୋଟିଏ ତାପଜ କେଂଦ୍ରରୁ
ଆଲୋକ ଢାଳୁଥିଲାବେଳେ
ନିଷ୍ପ୍ରଦୀପ ହୋଇ ଯାଇଛି
ସବୁରି ହୃଦୟ,
ଚାରିଆଡ଼େ ନିଃଶବ୍ଦ ଅସହାୟ
ମେଘ ଢାଂକିଲା ପରି କୋକୁଆ ଭୟ!
କିଏ କଳା କବାଟ ଭିତରୁ
କିଏ ଘୋଡ଼ାକଂବଳ ତଳୁ
କିଏ ବହୁତଳ ପ୍ରାସାଦ ଶୀର୍ଷ ଜଳାକବାଟିରୁ
କିଏ ରଂକ ରତନଂକ ରଂଗମହଲରୁ
ଖୋଜୁଛି ନିଜକୁ
ଉଡାଂଳୁଛି ଭାଗ୍ୟକୁ ।
ପ୍ରେତ ମଧ୍ୟ ଯାଇ ପାରୁଛି ସେ ସବୁ ସ୍ଥାନକୁ,
ଜଣେ ତାକୁ ମଦ ଗିଲାସେ ଯାଚୁଛି ତ
ଆଉଜଣେ ଘାଗଡ଼ା ଗଳାରେ ହାଂକିଦେଉଛି:
ଚୁପକରି ନେଇଯା’ ବ୍ରିଫକେଶଟା,
ଗଣା ହୋଇ ରହିଛି ଯା ଚାହିଁଥିଲୁ ।
ତୃତୀୟ ଜଣକ ଗଳାଖଂକାରି ରୋକଠୋକ
ଶୁଣାଇ ଦେଉଛି:
ସେତିକିରେ ସଂତୁଷ୍ଟ ହୋଇଯା’ କହୁଛି
ଦେଖ ଏ ଇସ୍ପାତ ଛୁରି
ଦେଖ ଏ ସଂଗୀନ ମୁନ!
ସଚରାଚର ପ୍ରହସନ
କଳାହାଂଡିରୁ ଦିଲ୍ଲୀ-କଟକ ପର୍ଯଂତ
ପ୍ରେତାବଲୋକନ ।
ସାରା ରାତି କୁହୁଡ଼ିରେ
ପରିଣୟହୀନ ପ୍ରଣୟ ଖେଳରେ
ରଚନା ହୋଇଯାଏ
କେତେ କେତେ ଅଦଭୁତ ରମଣ,
ସକାଳକୁ ଘୋଷଣା ହେବାକୁ
ଯାହା ବାକି ଥାଏ:
ଆଉ ନାହିଁ ଭୟର କାରଣ
ସିଂହାସନ କରି ସାରିଲାଣି
ନୂଆ ରାଜା ଅଳଂକରଣ ।
Page 47
