Singhasanସିଂହାସନ

Within the book

Back cover

Poem 42 of 68

କବିତା ୪୨

ବାକ୍ୟ ପୂରଣ କରିବାକୁ ବେଳ ନଥିଲା ହାତରେ,
ମୃତ୍ୟୁର ନିଶବ୍ଦ ବ୍ୟୂହ ଘେରିଗଲା
ମହାରାଣୀଂକୁ ନିଷ୍କାମ ଆବେଗରେ,
ଅଂଧ ମଣିଷଂକ ଅଂତରୀଣ ଆଲୋକ ସ୍ରୋତରେ,
ଅଂଗରକ୍ଷୀର ଧୂଆଁଧାର ବୁଲେଟ୍ ମାଡ଼ରେ ।

ଗୋଟାଏ ମୃତ୍ୟୁ ପରେ ଏତେ ମୃତ୍ୟୁ କେଉଁଠି ଥିଲା
ଜଳି ଉଠିବା ପାଇଁ ଉଲଂଗ ପ୍ରତିବଦ୍ଧତାରେ!
କିଏ କାହାକୁ ପଚାରିବ
କେତେ ବେଶି ଅଂଧାର ଏ ରାଜୁତିରେ?
ଏତେ ବଡ଼ ନୀଳ ଆକାଶଟା
କେମିତି ଲାଲ ଚାଂଦୁଆଟେ ପରି ଦିଶିଲା
ଘଡ଼ିକ ଭିତରେ?

ନା,
ସିଂହାସନର ଏ ଚିରଂତନ ରକ୍ତରୂପ
ପ୍ରଜାମାନେ ଦେଖିପାରଂତି ନାହିଁ ସବୁବେଳେ
ତାଂକ ଚର୍ମ ଚକ୍ଷୁରେ,
ଅହମିକାର ବରାଭୟକୁ
ଆଖି ପଟଳରେ ସାଇତି ବଂଚିବାଟା
ଯେହେତୁ ତାଂକର ଅଭ୍ୟାସରେ ପଡ଼ିଯାଇଥାଏ ।

Share this poem