କବିତା ୧୯
Saved places & passages
Select words to underline them. Saved on this device.
ଦିନେ ପରିଚାରିକା
ଶୁଣି ପକାଇଲା
ଦର୍ପଣ ସାମ୍ନାରେ
ଶୃଂଗାର କାଳରେ,
ମହାରାଣୀଂକ
କରୁଣ ବିଳାପ:
ଏଠି ମୁକ୍ତି ନାହିଁ,
ଥରୁଟିଏ ମନ ଭରି
କାଂଦିବା ପାଇଁ
ଥାନଟିକେ ନାହିଁ,
କ୍ଷୀରଭରା ଥନଟାକୁ
ହସି ହସି
ଭରିଦେବା ପାଇଁ
ଆଁଟିଏ ନାହିଁ ।
ମୁଁ ବଂଦିନୀଟିଏ,
ରୂପ ପସରାର
ରାଜଧାନୀଟିଏ,
ପ୍ରଜାମାନଂକ ଲୁହ
ଆଉ ଲୁହରେ ଗଢ଼ା
ଯାତନାର
ସୁନା ନୀଡ଼ ଭିତରେ
ଶୋଇ
କେତେ କାଳ
ମୁକୁଟ ଓ ସିଂହାସନର
ରୂପକୁ ଦେଖିବି?
ଲୁଣ ଖାଇ ଗୁଣ ସୁମରିବି,
ଶିହରିବି
ବଂଜର ମାଟିର ଯଂତ୍ରଣାରେ?
ପରିଚାରିକାକୁ
କିଏ ବୁଝାଇବ:
ଦୁଃଖ ସମାନ,
ଖାଲି ଯା’
ଅଲଗା ଅଲଗା ଭେକ ।
Page 20
