କବିତା ୧୪
Saved places & passages
Select words to underline them. Saved on this device.
ସିଂଦୁରା ଫାଟିଲା ବେଳକୁ
ଗୋଟାଏ କୁଆଁ କୁଆଁ ସ୍ଵର
ଉଠାଇଦେଲା ନିଦରୁ
ସମ୍ରାଟ ଅଜାତଶତ୍ରୁଂକୁ ।
ଛଡ଼ାଇଆଣିଥିବା ସିଂହାସନ
ଥରିଉଠିଲା
ଆଉ ଜଣେ ଅଶ୍ଵାରହୀ
(ତାକୁ) ଝାଂପିନେବାର
କୋକୁଆ ଭୟରେ ।
ଗର୍ଭାଶୟ ବଂଧନରୁ
ଯେ ପ୍ରାଣ ପିତୁଳା
ମୁକୁଳିଗଲା
ନା ବଂଦିଶାଳାର ଅଂଧାର ଗର୍ଭରେ
ଯେଉଁ ଶୀର୍ଣ ପିତୁଳାଟି
ମୁକ୍ତିକୁ ଭୁଲିଯାଉଥିଲା,
ତାକୁ ଯେ ଜୀବନର ଜୀବନ କରି
ଗଢ଼ିଥିଲା-
କିଏ, କିଏ ତା’ର ପ୍ରିୟତମ ଶତ୍ରୁ,
କେଉଁ ବିଂବିସାର?
ସିଂହାସନ ବୁଝେନାହିଁ
ଏ ସବୁ ବେଭାର ।
Page 15
