Singhasanସିଂହାସନ

Within the book

Back cover

Poem 10 of 68

କବିତା ୧୦

ମୃତ୍ୟୁ ଅପସରିଯାଏ
ତା’ର ଉଜ୍ଜ୍ବଳ ଡେଣାରୁ ।

ସିଏ ଯିଏ ହୁଅଂତୁ,
ଅଧିଷ୍ଠିତ ହୋଇଗଲେ ଥରେ
ସିଂହାସନରେ,
କିଷ୍କିଂଧାବାସୀ
ମାନିନିଅଂତି ରାଜ୍ୟକୁ,
ରାଜାକୁ ।
ସମୟ ଆଉଁଶି ଦିଏ
ହୃଦୟରୁ ଦୁଃଖ ଲିଭିଯାଏ,
ଛୋଟ ଛୋଟ ଦୁଃଖମାନ
ଦେହରେ ମଳି ପରି
ଧୋଇ ହୋଇଯାଏ,
ବାଳୀ ଅବା ସୁଗ୍ରୀବ
ଯିଏ ବଂଚିରହେ
ରାଜପଦ
ତାକୁ ମିଳିଯାଏ ।

ବାନରମାନେ
କେଡେ ସହଜରେ
କ୍ଷମା କରିଦିଅଂତି
ବୀର ସହୋଦରମାନଂକୁ
ହତ୍ୟା କରିଥିବା ଶତ୍ରୁକୁ ।

ମୃତ ସ୍ବାମୀ ପାଇଁ
ହୃଦୟ ଫଟାଇ କାଂଦୁଥିବା
ମହାରାଣୀ
ଆଦରିନିଅଂତି
ବୀରଭୋଗ୍ୟା ହେବାର ସତ୍ୟକୁ,
ଜୀବନକୁ ।

Share this poem