Singhasanସିଂହାସନ

Within the book

Back cover

Poem 68 of 68

କବିତା ୬୮

ଶେଷରେ ଗୋଟାଏ ବ୍ରାହ୍ମ ମୁହୁର୍ତରେ
ମଦିଂର ଦରଜା ପରି ଫିଟିଗଲା
ସବୁ ଜେଲଖାନାର ଫାଟକ
ସବୁ ଚିଡ଼ିଆଖାନାର କବାଟ
ଖୋଲିଦିଆଗଲା ।

ସାହାଣମେଲା ହୋଇଗଲା
ସିଂହ-ଦରଜା,
ଅଂଦରମହଲକୁ ଫିଟିଗଲା ବାଟ
ରିମୋଟ୍ କଂଟ୍ରୋଲ ଆଉ ନ ଥିଲା
କାହାରି ଭିତରେ ।

ମହାବଳମାନେ କାଦଂବରି ପାନ କଲା ପରି
ଶୋଷି ପକାଇଲେ ମଣିଷର ରକ୍ତ,
ପାଂଶୁଳ ଦାରୁଭୁତ ପରି ଦାରୁବ୍ରହ୍ମମାନେ
ଟଳିପଡ଼ିଲେ ଲାଜକୁଳି ଗହଳିରେ
ନାଗଫେଣି କଂଟାବୁଦା ତଳେ,
ଅରଣ୍ୟ କଂପିଲା
କଂଚା ମାଂସର ମାଦକତାରେ ।

ସବୁ ଦଂଶନର ଫଣାମାନ
ଉତ୍ତୋଳିତ ହୋଇ ରହିଗଲା
କେତେବେଳେ ଭୂମି-ସ୍ପର୍ଶ-ମୁଦ୍ରାରେ ତ
କେତେବେଳେ ଉତଥିତ ପଦ୍ମାସନରେ ।
ମୁକ୍ତିର ସକାଳ ଦେଖିଲା
କୁଢ଼ କୁଢ଼ ହାଡ଼ର ପାଉଁଶ ରାସ୍ତାରେ,
ମହାରାଜାଂକ ପୁରୁଷାର୍ଥ
ନିଃଶବ୍ଦରେ ନିକାଂଚନରେ
ପିଂପୁଡ଼ି ମଂଦାରେ,
ମହାରାଣୀଂକ ଜନନେଂଦ୍ରିୟ
ସାଲୁବାଲୁ ତେଲୁଣୀ ପୋକରେ
ଜେମାଂକ ପାଂଡୁର ସ୍ତନରୁ
ରକ୍ତ ଶୋଷୁଛି ମଶା,
ଗଣଧର୍ଷଣର ଜରାୟୁରୁ ତାଂକର
ଅତର୍କିତେ ଖସିପଡ଼ୁଛି
ସମୁଦ୍ର ରଂଗର ମଲା ଛୁଆଟା ।

ରାଜକୁମାରଂକ ମଲା ମୁହଁଟାରେ
ତଥାପି ଲାଗିରହିଛି ସଇତାନୀ ହସଟା ।

କେହି ନାହିଁ ହୁକୁମ ଦେବାକୁ,
କେହି ରହିନାହିଁ
ହୁକୁମ ତାମିଲ୍ କରିବାକୁ ।

ନିର୍ଜନ ରାଜପ୍ରାସାଦରେ

ଚିତ୍ର ଆଖିମାନ ତରାଟି ଚାହିଁଛି-
କିଏ ଶୁଣିବ
କିଏ ଘୋଷଣା କରିବ
ସିଂହାସନ ଖାଲି ପଡ଼ି ନାହିଁ,
ହୁତ୍ ହୁତ୍ ଜଳୁଛି ।
ସାରା ପୃଥିବୀଟା ଅବା ଭସ୍ମଟିକେ ହୋଇ
ଝଡ଼ିପଡ଼ୁଛି
ଲାସଖାନାର ଟେବୁଲ୍ ଉପରେ ।

ତଥାପି
ମଂଦ ମଂଦ ପବନ ବହୁଥିଲା ଜନପଦରେ,
ପକ୍ଷୀମାନଂକ ଉଡ଼ାଣରେ
ଶୋକାକ୍ତ ସ୍ଵର କେଉଁ ସାହାନାଇର
ଶୁଭୁଥିଲା ଦୂର ଆକାଶରେ ।
କେଉଁ କିଆବୁଦା ତଳୁ
କେଉଁ ଖିରିକୋଳି ବଣରୁ
କେଉଁ ଗହଳ ଆଂବତୋଟାରୁ
କେଉଁ କଦଂବ ଡାଳର ଲଳିତ ସ୍ଵନରୁ
କେଉଁ ମୁଚୁକୁଂଦ ଫୁଲର
ମଧୁର ମଧୁର ବାସ୍ନାରୁ
କେଉଁ କଠିନ ଗୈରିକ ପାହାଡ଼ର
ଅଂଧାରୁଆ ଗୁଂଫାରୁ
କେଉଁ ଖଂଡାଧାର ପ୍ରପାତର
ପ୍ରଚଂଡ ପ୍ରବାହରୁ
କେଉଁ ସମୁଦ୍ରକୂଳର ହେଂତାଳ ବନରେ
ବାଘ ହେଂଟାଳ ପରି ଝଡ଼ର ଗର୍ଜନରୁ
କିଛି ଅବୋଧ ନିରୀହ ଦୃଷ୍ଟି
ନିରେଖୁଥିଲା ଆକାଶ ପାତାଳ:
କଳା ଘୋଡ଼ା କି ଧଳା ଘୋଡ଼ାର
ଟାପୁ ଆବାଜରୁ
ପ୍ରଥମ ପ୍ରେମର ହସଟିଏ ହୋଇ
ଦଉଡ଼ି ଆସୁଛି କି
ଜଳଂତା ନିଆଁ ପରି
ହଳଦି ରଂଗର
ସେଇ କଅଁଳା ଟୋକାଟା-
ଖୋଜି ପାଇଯିବା ପାଇଁ
ଉଁଚା ମାଟିଗଦାଟିଏ
ଯେଉଁଠୁ ଗୋଟାଏ ହୁଂକାରରେ
ସେ ଚାଲୁକରିଦେବ ବଂଦ ଦରବାର,
ଯେଉଁଠି ମୁର୍ଦାରମାନେ ଆଖିଖୋଲି
ଚେଇଁ ଉଠୁଥିବାର ବିସଂବାଦ,
ଯେଉଁଠି ଅଲୌକିକ କଳା କୌଶଳର
ଆଉ ଗୋଟାଏ ସିଂହାସନ ଲୁଚି ରହିଥିବାର ଗୁଜବ
ରାତି ପାହିଲାବେଳକୁ
ପ୍ରଜାପତିଟିଏ ଫୁଲ ଉପରେ ଉଡ଼ୁଥିଲା ପରି
ସତ ହୋଇଯିବ ।

Share this poem