କବିତା ୫୯
Saved places & passages
Select words to underline them. Saved on this device.
ଗର୍ଭଣୀ ଗାଈ ବାଟ ଛାଡ଼ିଦିଏ,
ବାଘୁଣୀ ଶୋଇପଡ଼େ ଆସି ଶେଯରେ
ମୋହିନୀ ବେଶରେ,
ବାଘ ସିଂହ ଓ ହାତୀମାନେ
କୁକୁର ଓ ବିଲୁଆମାନଂକ ଗହଣରେ
ଗୋଡ଼ଭାଂଗି ଠିଆହୋଇ ରହଂତି
ଉତ୍ତାପ ନ ଥିବା ଉତ୍ତେଜନାରେ,
ଉନ୍ମାଦର ବୀଭତ୍ସ ପଶୁ ମେଲଣରେ,
ଦଶମୁଦ୍ରା ଅର୍ଜନ ପରେ
ଲାଂଜ ହଲାଇ ଦେବାପାଇଁ
ଦରବାରରେ ।
ଅଉ କିଏ ପଚାରିବ କାହାକୁ
ପାହାଡ଼କୁ ଢିମା ପକାଇବା କଥା?
ସମସ୍ତଂକ ପାଟି ତ ବଂଦ
ମୁଢ଼ି ମୁଠାକରେ,
କିଣାବିକା ପକ୍କା ହୋଇଯାଏ
ଆଖିର କଜଳ ପରି ଅଂଧାର ରାତିରେ,
ଦୁଷ୍ଟ ଗ୍ରହମାନଂକ
ସଂତୋଷବିଧାନରେ,
ଭୂମି ଅନ୍ନ ବସ୍ତ୍ର ଅଳଂକାର
ବାଂଟିଦିଆଯାଏ ଅକାତରେ ।
ରକ୍ତ ବହୁ
ନିଆଁ ଜଳୁ
କମାଣ ଫୁଟୁ-
ସେଥିବି ପରବାୟ ନ ଥାଏ ।
“ଦେଶ ଓ ଶାସନ ଠିକ୍ ଅଛି,
ସବୁ ଠିକ୍ ଅଛି ।”-
ଡେଂଗୁରା ପିଟିଦିଆଯାଏ ।
Page 60
