କବିତା ୪୩
Saved places & passages
Select words to underline them. Saved on this device.
ଉଦ୍ଦଂତ ଗଣନୃତ୍ୟର ଆଖଡ଼ାଘରେ
ମହାରାଜାଂକ ଶବକୁ ଫିଂଗିଦିଆଗଲା
ପୁତ୍ତଳିକାଟିଏ ପରି ମାଟିରେ ।
କାଳ ବିଳଂବ ନ କରି
ପ୍ରିୟତମ ସଂତାନ ତାଂକର,
ଭେକ ବଦଳାଇ ଭିକାରି ବେଶରେ,
ବହୁଦିନରୁ ଗଜା-ମରୁଡ଼ି ହୋଇଯାଇଥିବା
ଓ ହଠାତ୍ କେନା ମାରିବାକୁ ଛନଛନ ହେଉଥିବା
ଲୋଭଟା ସାଇତି ହୃଦୟରେ,
ଠିଆ ହୋଇଗଲା ଆସି
ଶୂନ୍ୟ ସିଂହାସନର ଶୀତଳ ଛାଇରେ
କରଯୋଡ଼ି କାକୁସ୍ଥ ମୁଦ୍ରାରେ,
ସତେ ଅବା ଡେଇଁ ପଡ଼ିବ ନିଆଁକୁ
ଆଦେଶ ମାତ୍ରକେ ।
ବେଶ୍ ସେତିକି ଯଥେଷ୍ଟ ପ୍ରଜାମାନଂକ ପାଇଁ
ଭୁଲିଯିବାକୁ ଯୁଗ ଯୁଗର ଯଂତ୍ରଣା,
ସେଥିକି ଯଥେଷ୍ଟ ଲୋଭର ଚାରାଗଛଟା
ଡଂକେଇ ଉଠିବା ପାଇଁ ଚାଳ ଉପରକୁ ।
ତେଣିକି ଜୟଧ୍ନିରେ କଂପିଲା ନଗର,
ସବୁ ପୋଡ଼ାଜଳା ଭିତରେ ବି
ଶାସନ ହୋଇଗଲା ସ୍ଥିର ।
Page 44
