Singhasanସିଂହାସନ

Within the book

Back cover

Introduction

ସିଂହଦ୍ଵାର

କବି ହୋଇଗଲେ ସବୁ ଲୋକ । କବିତା ଏକ ସୂକ୍ଷ୍ମ କଳା । ଗୋଟାଏ ସୂକ୍ଷ୍ମ ଚେତନାର ବିଶ୍ଵସନୀୟ ପ୍ରକାଶ । ଏ କଥା କହିଲାବେଳେ, ଅପରପକ୍ଷେ କେହିକେହି ସାହିତ୍ୟର ଅଗୀଂକାର, ସଂଦେଶ, ବକ୍ତବ୍ୟର କଥା ଉଠାଇପାରଂତି । ସେମାନଂକ ପାଇଁ ଏତିକି କୁହାଯାଇପାରେ ଯେ ସାହିତ୍ୟ ସେମିତି କୌଣସି ତୁଚ୍ଛା ପାର୍ଥିବ ଇଚ୍ଛାପୂରଣ ପାଇଁ ଅଭିପ୍ରେତ ହୁଏନାହିଁ । ସେମିତି ହେଲେ କବିତା, କବିତା ନ ହୋଇ ଗୋଟାଏ ବକ୍ତବ୍ୟର ଭାଷା ହୋଇଯାଆଂତା । ଗୋଟାଏ କୋମଳ ଚେତନା ଏକ ପରିବହନ ସଂସ୍ଥାର ଧାତବ ଯଂତ୍ରଟିଏ ହୋଇଯାଆଂତା । କବିତା ଏମିତି ସୀମାବଦ୍ଧତାରେ ବିଶ୍ଵାସ ରଖେନାହିଁ । କେବଳ ଗୋଟାଏ ବକ୍ତବ୍ୟ କାହିଁକି, କବିତା ସମଗ୍ର ଜାଗତିକ ଓ ମହାଜାଗତିକ ବିଶ୍ଵକୁ ଧରି ରଖିବାପୁ ସମର୍ଥ ହୁଏ । “ଦିବି ସୂର୍ଯସହସ୍ରସ୍ୟ…” ବର୍ଣନା ପଢ଼ିଲାବେଳେ ଆମେ କବିତାର କେଉଁ ବକ୍ତବ୍ୟକୁ ସେଠି ଖୋଜୁ? ତେଣୁ କବିତା କୌଣସି ନିର୍ଦିଷ୍ଟ ବକ୍ତବ୍ୟର ଭାରବାହୀ ଓଟଟିଏ କି ଗଧଟିଏ ହୁଏନାହିଁ । ସମସ୍ତ ବକ୍ତବ୍ୟ ହିଁ କବିତା ହୋଇଯାଏ ଏବଂ ଯେଉଁ ଭାଷାରେ କବିତା ରୂପ ବିଗ୍ରହ ଗ୍ରହଣ କରେ ତାହା ହୋଇଉଠେ କାବ୍ୟଭାଷା । ସେତେବେଳେ ଭାଷା ଓ କବିତା ଉଭୟ ଶକ୍ତିଶାଳୀ ହୋଇଉଠଂତି ଓ ପରସ୍ପରର ପରିପୂରକ ହୁଅଂତି ।

ସେହିପରି ‘ସିଂହାସନ’ ମୋ’ ପାଇଁ ବକ୍ତବ୍ୟର ଚିତ୍ରଲିପି ନୁହେଁ । ମୋ ଅନୁଭୁତିର ପ୍ରବାହମାନତା ଭିତରେ ମଣିଷ ପ୍ରାଣରେ ମୁଁ ଦେଖି ପାରୁଥିବା ଓ ଅନୁଭବିଥିବା ଦୁଃଖ ଓ ଅପାରଗତାର ଅବବୋଧଟିଏ ମାତ୍ର । ମଣିଷକୁ ତା’ର ପରିବେଶକୁ ପ୍ରଚଂଡ ଭାବେ ଭଲପାଇବାର ପ୍ରେରଣାଟିଏ ମାତ୍ର । ସେ ସବୁକୁ ମଣିଷର ଇତିହାସ ପ୍ରତି ଥିବା ବ୍ୟକ୍ତିନିଷ୍ଠ ଆଦେଶ ଓ ଇତିହାସକୁ ଧରିରଖିଥିବା ବସ୍ତୁନିଷ୍ଠ ଘଟଣା ପ୍ରବାହରୁ ଜନ୍ମଲାଭ କରିଥିବା ଚେତନାକୁ ଗୋଟିଏ ସମତଳରେ ଦେଖିବାର ପ୍ରୟାସଟିଏ ମାତ୍ର । ଗୋଟାଏ ପ୍ରଚଂଡ ବେଦନାବୋଧକୁ ସୂକ୍ଷ୍ମ ଭାବତରଂଗଟିଏ ଦେବାର ଚେଷ୍ଟାଟିଏ ମାତ୍ର । ସ୍ଵତଃସ୍ପୂର୍ତ ପ୍ରବଣତା ନୁହେଁ ଏକ ବିସ୍ତାରିତ ଚେତନାରେ ମହାଜାଗତିକ କରୁଣାକୁ ସବୁ ସମୟ ପାଇଁ ଗୋଟାଏ କାବ୍ୟିକ ପରଂପରା ରୂପରେ ଦେଖିବାର ଦୃଷ୍ଟିଟିଏ ମାତ୍ର ।

‘ସିଂହାସନ’ର ଇଥିହାସ ମୁଁ ଖୋଜି ନାହିଁ । ସିଂହାସନର ସ୍ଥୂଳ ଚିଂତା, ତା’ର ଲୌକିକ ବିଗ୍ରହ କେଉଁଦିନ ଏକ ଅଲୌକିକ ସୂକ୍ଷ୍ମ ଚେତନା ସ୍ତରକୁ ରୂପାଂତରିତ ହେଲା ଓ ସମଗ୍ର ମଣିଷ ଜାତିର ଅବବୋଧକୁ ଆଚ୍ଛାଦିତ କରି ରଖିଲା ସେ ସଂପର୍କରେ ବିଶେଷ ଜ୍ଞାନ ମୁଁ ଅର୍ଜନ କରିବାକୁ ଚାହିଁନାହିଁ । ହୁଏତ ଏପରି ଏକ ସମୟ ଥିଲା ଯେତେବେଳେ ସିଂହାସନଟିଏ ନ ଥିଲା ବା ସିଂହାସନଟିଏ ନିର୍ମାଣ କରି ସେଥିରେ

ଉପବିଷ୍ଟ ହେବାର ଅଭିଳାଷ ପୋଷଣ କରିବା ଭଳି ମଣିଷଟିଏ ନ ଥିଲା । ଯେଉଁମାନେ ଏଇ ଅଭିନବ କଥାଟିର ସ୍ରଷ୍ଟା, ସେମାନଂକୁ ଚାଲାକ ମଣିଷ କହିବା ନା ସେମାନଂକ ସୂକ୍ଷ୍ମ ବୁଦ୍ଧି ଓ ପ୍ରଜ୍ଞା ନିକଟରେ ଆମର ପ୍ରଣତି ଜଣାଇବା? ମଣିଷ ଏକ ସାମାଜିକ ଆବଶ୍ୟକତାରୁ ଯେତେବେଳେ ଶାସିତ ହେବାକୁ ଚାହିଁଲା, ସେତେବେଳେ ଶାସକ ସୃଷ୍ଟି କଲା ନା ଶାସକଟିଏ ଆପେଆପେ ସୃଷ୍ଟି ହୋଇ ଶାସନ-ପଦ୍ଧତିଟିଏ ଗଢ଼ିଥୋଇଦେଲା, ଯାହାକୁ ତାହାଠାରୁ ବଳ, ବୀର୍ଯ, ଶୌର୍ଯରେ ନିକୃଷ୍ଟ ଅବସ୍ଥାରେ ଜୀବନ ନିର୍ବାହ କରୁଥିବା କିଛି ମଣିଷ ନିର୍ବିରୋଧ ଗ୍ରହଣ କରିନେଲେ? ମୂଳରୁ ଗଣଚେତନାଟିଏ ଥିଲା ନା ଜଣଟିଏ ଗଣ ସମଗ୍ରକୁ ନିୟଂତ୍ରିତ କରିବାର କୌଶଳ ଆୟତ୍ତ କରି ସମଗ୍ର ଗନଗଣର ପ୍ରତିକୁ ଭାବରେ ନିଜକୁ ପ୍ରତିଷ୍ଠିତ କରାଇନେଲା?

ଏ କଥା ମଧ୍ୟ ସତ୍ୟ ହୋଇପାରେ ଯେ ସମଗ୍ର ବିଶ୍ଵବ୍ରହାଂଡ ଏକ ବିଶୃଂଖଳ ଅବସ୍ଥାରେ ଥିଲା । ସବୁ ଶୂନ୍ୟ ଥିଲା । ପରବର୍ତୀ ଅବସ୍ଥାରେ ଶୃଂଖଳା ଆସିଲା ଓ ଆଲୋକ ବି ଆସିଲା । ଠିକ୍ ସେମିତି ହୁଏତ ପ୍ରାରଂଭିକ ଅବସ୍ଥାରେ ମଣିଷ ସାମାଜିକ ହୋଇ ନ ଥିଲା । କ୍ରମଶଃ ତାର ଚେତନାର ବିକାଶ ଘଟିଛି । ତାର ଭୌତିକ, ଆଧିଭୌତିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶମାନ ମଧ୍ୟ ଘଟିଛି । ଉଭୟ ବ୍ୟକ୍ତି ସଂସ୍କୃତି ଓ ସାମାଜିକ ସଂସ୍କୃତି ବିକାଶଲାଭ କରି ନାନା ବିବର୍ତନ ଭିତର ଦେଇ ଗତିକରିଛି । ଗୋଟାଏ ଭୟଂକର ବିଶୃଂଖଳ ଜୀବନକୁ ଶୃଂଖଳିତ କରିବା ପାଇଁ ମଣିଷ ବାଟ ଖୋଜିଛି ଓ ଶାସନ ପ୍ରକ୍ରିୟା ଭିନ୍ନଭିନ୍ନ ରୂପ ନେଇ ଶେଷରେ ଗୋଟାଏ ଶାସକ ଓ ମର୍ଯଦାବଂତ ଭାବରେ ସିଏ ଉପବିଷ୍ଟ ହେବାର ଆସନଟି ‘ସିଂହାସନ’ ର ବିଗ୍ରହ ଗ୍ରହଣ କରିଛି ।

ଅନ୍ୟ କଥାଟି ଅସତ୍ୟ ନ ହୋଇପାରେ ଯେ ଜଣେ ଚତୁର ବିଭବଶାଳୀ ଓ ନିଷ୍ଠୁର ବ୍ୟକ୍ତି ତା’ର ସହଯୋଗୀ, ସହଧର୍ମା ମଣିଷଗୁଡ଼ାଂକୁ ତାର ବ୍ୟକ୍ତି ସ୍ବାର୍ଥର ପାଥେୟ କରି ଶାସକଟିଏ ଭାବେ ନିଜକୁ ପ୍ରତିଷ୍ଠିତ କରାଇଛି । କେତେ ଯୁଗ ଧରି ଏହିପରି ଶାସକ ଓ ଶାସିତ ପ୍ରଥାଟି ଶାସନ ଓ ଶୃଂଖଳା ନାମକୁ ପ୍ରତିପାଦନ କରିବା ପାଇଁ ଚଳିଆସୁଛି । ବେଳେବେଳେ ବ୍ୟତିକ୍ରମ ମଧ୍ୟ ଘଟିଛି । ପଦ୍ଧତି ବଦଳିଛି । ବାଦ ବଦଳିଛି । କିଂତୁ ଅସଲ ନିର୍ଯାସଟି ବଦଳିନାହିଁ । ମଣିଷ ଶାସିତ ହୋଇଛି ଶାସକ ଓ ଶାସନର ବାଟରେ ସିନା, ମଣିଷର ବାଟରେ ହୋଇପାରିନାହିଁ । ଶୃଂଖଳା ପୁଣି କେତେବେଳେ ଶୃଂଖଳରେ ପରିଣତ ହୋଇଯାଇଛି । ଶାସନ ଆଉ ମୁକ୍ତିର କଥା କହିନାହିଁ । ମୁକ୍ତିର ଚିଂତାଟି ଯେ ସେଠି ନାହିଁ ଏ କଥା ନୁହେଁ, ମୁକ୍ତ ଜୀବନ କେତେବେଳେ ସ୍ଵେଚ୍ଛାଚାର ଆଡ଼କୁ ଧାଇଁଛି ତ କେତେବେଳେ ମୁକ୍ତିକୁ ନିୟଂତ୍ରଣ କରୁଥିବା ଶାସକଟି ସର୍ବନିୟଂତା ଏକଛତ୍ରପତିଟିଏ ପାଲଟିଯାଇଛି । ମଣିଷର ସୁସ୍ଥ ଓ ମୁକ୍ତ ଜୀବନ ପାଇଁ, ଜଣେ ମର୍ଯାଦାବଂତ ଶାସକ ସୃଷ୍ଟି କରିବା ପାଇଁ ସଂହିତାମାନ ତ ଲେଖା ଯାଇଛି, ଯାଉଛି । ତଥାପି ଅଂଧାରରେ ବାଡ଼ି ବୁଲାଇବାକୁ ପଡ଼ୁଛି ।

କେହିକେହି ଯୁକ୍ତି ବାଢ଼ଂତି ଶାସନହୀନ ସମାଜଟିଏ ପ୍ରତିଷ୍ଠା ହୋଇ ପାରିଲେ ମଣିଷ ଜୀବନ ପାଇଁ ମୁକ୍ତି ବେଶି ଦୂରର କଥା ହେବନାହିଁ । କେହି କେହି ମଧ୍ୟ ଓଲଟା ଯୁକ୍ତ କରଂତି, ଏପରି ମୁକ୍ତିର ଚିଂତା ଏକ ଉଦ୍ଭଟ, ଅବାସ୍ତବ କଳ୍ପନା । ଏକ ସ୍ଵପ୍ନବାଦୀ ପରିକଳ୍ପନା(Utopian)। ଏପରି ଚିଂତା କେବଳ ଗୋଟାଏ ବୀଭତ୍ସ ଅରାଜକତା ଆଡ଼କୁ ସମାଜକୁ ଟାଣିନେବ ସିନା ଅଧିକ କିଛି କରିବନାହିଁ । ତେବେ ଆମର ସ୍ଵର୍ଗ ରାଜ୍ୟର କଳ୍ପନାଟି କ’ଣ? ହୁଏତ ତାହା କୌଣସି ଏକ ମହାନ ଓ ବିସ୍ମୟକର ଚେତନାରୁ ସଂଭୂତ ହୋଇପାରିଥାଏ । କିଂତୁ ତାହା ଧର୍ମୀୟ ବଂଡି ଭିତରେ ମଣିଷ ମନର ଏପରି ଏକ

ଅଲୌକିକ ସ୍ଥାନର ଅଧିକାରୀ ହୋଇଯାଇଛି ଯେ, ତାହାକୁ ସାଧାରଣ ମଣିଷଟିଏ ଆପଣେଇ ନେବାର, ଆପଣା ଜୀବନ ଭିତରେ ସେପରି ଗୋଟାଏ ସ୍ଵର୍ଗୀୟ କଳ୍ପନାକୁ ରୂପାୟିତ କରିବାର ସ୍ଵପ୍ନ ଗୋଟାଏ ମଧୁର ଉତ୍ତେଜକ ସ୍ଵପ୍ନ ହେବ ସିନା, ଅଧିକ କିଛି ହୋଇପାରିବ ନାହିଁ । ତେବେ କଥାଟାକୁ ଅବାସ୍ତବ କହି ଏଡ଼େଇଦେଲେ ବି ହେବନାହିଁ । ସେଥିପାଇଁ ମଧ୍ୟ ସଚେତନ ଭାବରେ କିଛି ଚିଂତା କରିବାର ଆବଶ୍ୟକତା ଅଛି । ମୁକ୍ତ ଜୀବନ ଯାପନ ପାଇଁ ଗୋଟାଏ ପ୍ରଚେଷ୍ଟା କ’ଣ ଅପଚେଷ୍ଟା ହେବ? ଆମେ କଣ ତଥାପି ବିଶ୍ଵାସ କରିବା ରାଜା ବା ଶାସକ କେଉଁ ସର୍ବନିୟଂତା ଈଶ୍ଵରଂକର ପ୍ରତିନିଧି ବା ସ୍ଵୟଂ ଈଶ୍ଵର? ଗୋଟାଏ ସାମାଜିକ ବିବର୍ତନ ମୁକ୍ତ ଜୀବନଟିକେ ଦେବାକୁ ଯେ ଅସମର୍ଥ ହେବ- ଏପରି ଭାବିବା କେତେଦୂର ଠିକ୍ ହେବ?

ସାଂପ୍ରତିକ ଜନ ଜୀବନରେ ରୁଗ୍ଣ ସାମାଜିକତା ଓ ମୂଲ୍ୟବୋଧ ହୀନ ରାଜନୀତିର ଅକ୍ଟୋକଶୀ ରୂପ ଓ ପରିଣତିକୁ ଦେଖିଲେ କେଉଁ ଚିଂତା ଓ ଚେତନା ଏସବୁକୁ ସଂଗଠିତ କରୁଛି ବୋଲି ଆମେ ଭାବିବା? ବେଳେବେଳେ ପ୍ରଳୟର ଗୋଟାଏ ସମାନ ଚିତ୍ର ମଣିଷର ସ୍ଵଚ୍ଛଂଦ ଜୀବନକୁ ଭାଂଗି ଚୂରମାର କରିଦେଲାପରି ଲାଗେ ନାହିଁ କି? ମଣିଷ, ମଣିଷଟିଏ ନ ହୋଇ ଦାସଟିଏ, ଭୀରୁ କାପୁରୁଷଟିଏ ହୋଇଯାଉଥିବାର ଦୃଶ୍ୟ ଆମକୁ ବିଷଣ୍ଣ କରିଦିଏ ନାହିଁ କି? ବେଳେବେଳେ ଲାଗେନି କି କିଛି ବି ଶକ୍ତି ଆମ ପାଖରେ ନାହିଁ ଯାହା ଏ ସବୁକୁ ପ୍ରତିହିତ କରିପାରିବ? ତଥାପି ସୁସ୍ଥ ଓ ଶୃଂଖଳିତ ଜୀବନ ଯାପନର ବିଶ୍ଵାଦ ଟିକକ କରିଯାଏନି । ହେଲେ ସେହି ବିଶ୍ଵାସକୁ ବଂଚାଇ ରଖିବା ପାଇଁ ଗୋଟାଏ ପ୍ରସ୍ତୁତିର ଆବଶ୍ୟକତା ମଧ୍ୟ ଅଛି । ସେ ପ୍ରସ୍ତୁତି ହେଉଛି ଗୋଟାଏ ଉତ୍ତରିତ ଜୀବନର ପ୍ରସ୍ତୁତି । ସେ ଉତ୍ତରଣ ପ୍ରକ୍ରିୟା ସେତିକିବେଳେ ଆରଂଭ ହୋଇପାରିବ, ଯେତେବେଳେ ମଣିଷ ତା’ ନିଜକୁ ଓ ତା’ର ଚତୁଃପାର୍ଶ୍ଵକୁ ଗୋଟାଏ ଆଂତରିକ ଅଂତର୍ଦୃଷ୍ଟି ଦେଇ ଦେଖିବାକୁ ପ୍ରୟାସ କରିବ । ଏବଂ ସେହି ଦେଖିବାର ବାଟଟି, ସେ ସଂପର୍କରେ ସୂତ୍ରଟି ଯଦି କବିତା ହେବ ତେବେ ମୋ କବିତା ସେହିପରି ଏକ ସର୍ଜନଶୀଳ ପ୍ରଚେଷ୍ଟାଟିଏ ମାତ୍ର । ଏବଂ ସେ ପ୍ରଚେଷ୍ଟା ଭିତରକୁ ଗୋଟାଏ ତାଡ଼ନା, ଗୋଟାଏ ବିଧ୍ବଂସ ଏପରିକି ଗୋଟାଏ ପ୍ରଚଂଡ ପ୍ରଳୟ ଯଦି ତାର ସମସ୍ତ ପ୍ରାକୃତିକତାକୁ ଧରି ଅନୁପ୍ରବେଶ କରେ ତେବେ ତାକୁ ଆଦରିନେବା, ଆପଣାର କରିନେବା କବିତାର ଧର୍ମ ହେବନାହିଁ । ବରଂ ସେ ଆଘାତକୁ ଶ୍ରଦ୍ଧାର ସହ ମୁକାବିଲା କଲାବେଳେ ହୁଏତ ଗୋଟାଏ ଚରମ ମୁକ୍ତିର ବାଟ ଫିଟି ଯିବାର ପ୍ରକ୍ରିୟାଟିଏ ଆମ ଭିତରେ ସୃଷ୍ଟି ହେଇଯିବ । କବିତା ସେହିପରି ଏକ ମୁକ୍ତିର ସର୍ଜନଶୀଳ ଦ୍ବାରବଂଧଟିଏ ନୁହେଁ ତ?

ମୁଁ ପ୍ରଥମେ ଭାଗବତ ବୃତ୍ତରେ ସହଜ ଓ ସାବଲୀଳ ଭାବରେ ସମଗ୍ର କବିତାଟିକୁ ଲେଖିବାର ଏକ ବିଚିତ୍ର ପ୍ରୟାସ କରିଥିଲି । ସେ ପ୍ରଚେଷ୍ଟାର ଆରଂଭ ଏହିପରି : ତେଣୁ ଶୁଣ ହେ ସାଧୁ ଚିତ୍ତସବୁଠି ଶାସନ ଶାସିତ ତା ଚେର କିଏ ଉପାଡ଼ିବ ଉପାୟ ସତେ କି ସଂଭବ ଯେବଣ ଲୋଭନୀୟ ରୂପ ଆକର୍ଷିରଖେ ନର ରୂପ ସତେ କି ପାରିବାନି ତୋଳି ସ୍ଵର ଯେ ପକାଇବ ଖୋଳି ବୀଜ ସମେତ ମହା ବୃକ୍ଷ ଶୋଷଣ ପେଷଣ କଟାକ୍ଷ ଜୀବନ ନାମେ ଆନ ଚାରା ରୋପିବା ନେଇ ବସୁଂଧରା ଲଭିବ ଶାଂତି ମୈତ୍ରି ପ୍ରୀତି ନ ଥିବ ସିଂହାସନ ଭୀତି ଲାଘବ ହେବ ଦୁଃଖ ଭାରା ଆନଂଦେ ଉଲ୍ଲସିବ ଧରା ନ ଥିବ କେ ଜଣେ ଶାସକ ଶାସିତ ହେବ ନାହିଁ ଲୋକ ସିଂହ ଆସନେ ରେ ରେ କାର ନ ଥିବ ମେଦିନୀ ଉପର ନୂଆ ପୁରାଣ ଲେଖାହେବ ପୁରୁଣା ଚିଂତା ଭାଂଗିଯିବ ମୁକ୍ତ ଜୀବନ ଚାହେଁ ନାହିଁ ଆଉ କେ ହେଉ ତାର ସାଇଁ ସମାନ ମଂତ୍ର ବୋଲା ହେବ ସମତା ଦେଶେ ବିରାଜିବ ନ ଥିବ ଘୃଣା ଭେଦଭାବ ନ ଥିବ କ୍ଷୁଧା ଓ ଅଭାବ ପୃଥ୍ବୀ ହସିବ ସୂର୍ଯୋଦୟେ ବଚନ ସ୍ପୁରିବ ନିର୍ଭୟେ କବି ହୋଇବେ ସବୁ ଲୋକ ଉଜ୍ଜ୍ବଳ ଦିଶିବ ଭୂଲୋକ

ମୁଁ ସମଗ୍ର ‘ସିଂହାସନ’ ରଚନା କରିବା ପାଇଁ ଯେତେଗୁଡ଼ିଏ ଶବ୍ଦ ଓ ପଂକ୍ତି ବ୍ୟବହାର କରିଛି ତାଠୁଁ କମ୍ କଥାରେ ଭାଗବତ ବୃତ୍ତରେ ସବୁକଥା ହୁଏତ କୁହାଯାଇ ପାରିଥାଂତା । କିଂତୁ ସେ ପ୍ରୟାସ ମୋତେ ଆଦୌ ଉତ୍ସାହିତ କରିପାରିଲା ନାହିଁ । ଏଇଥିପାଇଁ ଯେ, ନବାକ୍ଷରୀରେ ମୋ ଚିଂତାକୁ ରୂପ ଦେବାର ସାମର୍ଥ୍ୟ ମୋର ନାହିଁ, ସେ ବିଷୟରେ ମୁଁ ସଚେତନ । ସେହି ବୃତ୍ତରେ ମୁଁ ଯାହା ଲେଖିଲେ ବି ତାହା ମୋର ହୋଇପାରିବ ନାହିଁ । ତାହା ଜଗନ୍ନାଥ ଦାସଂକର ହିଁ ହେବ । ଅନ୍ୟ ଭାବରେ କହିଲେ ପ୍ରତ୍ୟେକ କବି ନିଜ ନିଜର ପରିପ୍ରକାଶ ପାଇଁ ଏକ ନିଜସ୍ଵ ଆଂଗିକକୁ ବାଛି ନେଇଥାଏ । ତା ନ ହୋଇଥିଲେ ଏ ଯାବତ ଗୋଟିଏ ଆଂଗିକରେ କବିତା ଲେଖା ଚାଲିଥାଆଂତା, ଭାବ ଯେତେ ନୁଆ ହେଉ ପଛେ । କିଂତୁ ତାହା କେତେବେଳେ ହେଲେ ହୋଇନାହିଁ କି ହେବା ସମୀଚୀନ ମଧ୍ୟ ନୁହେଁ ।

ଭାଗବତ ଛଂଦକୁ ନେଇ ମୁଁ ଯାହା ଲେଖିଥିଲି ପ୍ରକୃତରେ ‘ସିଂହାସନ’ର କବିତା ଗୁଡ଼ିକୁ ଲେଖିଲାବେଳେ ସେଇ ଚିଂତାଟି ଆଉ ନ ଥିଲା । ‘ସିଂହାସନ’କୁ ନେଇ ଯେତେ ଗୁଡ଼ିଏ କବିତା ଏଠାରେ ସନ୍ନିବେଶିତ ହୋଇଛି ସେଥିରେ ସିଂହାସନ ରୂପକଳ୍ପ କି ପ୍ରତୀକ ଭାବରେ ବ୍ୟବହୃତ ହୋଇନାହିଁ । ସିଂହାସନ ମଧ୍ୟ କୌଣସି ଧର୍ମ, ଦର୍ଶନ, ନୀତି ବା ଆଦର୍ଶର ଇସ୍ତାହାରଟିଏ ନୁହେଁ । ସିଂହାସନ ମୋ’ ପାଇଁ ଏକ ଚେତନା ଓ ସେହି ଚେତନାର ସୂତ୍ର ସମଗ୍ର

କବିତାକୁ ବାଂଧିରଖିବାକୁ ସମର୍ଥ ହୋଇଛି ବୋଲି ମୋର ବିଶ୍ଵାସ । ସିଂହାସନକୁ ନେଇ ମହାକାବ୍ୟ ଲେଖିବାର ପ୍ରଚେଷ୍ଟା ମୁଁ କରିନାହିଁ । ନିୟମାନୁମୋଦିତ କାବ୍ୟ ସୃଷ୍ଟି କରିବାର ଶୈଳୀ ମୋତେ ଜଣାନାହିଁ । ଯୋଜନାବଦ୍ଧ ଭାବେ କୌଣସି ଖସଡ଼ା ପ୍ରସ୍ତୁତ କରାଯାଇ ‘ସିଂହାସନ’ କବିତା ଗୁଚ୍ଛ ଲେଖାଯାଇନାହିଁ । କବିତାର ଶ୍ରେଣୀ ପ୍ରକୋଷ୍ଠୀୟ ବିଭାଗୀକରଣରେ ମୁଁ ବିଶ୍ଵାସ କରିନାହିଁ । କବିତା ଲେଖିବା ପାଇଁ କୌଣସି ଯାଂତ୍ରିକତାକୁ ସ୍ଵୀକାର କରିନାହିଁ । କବିତା ନିଜେ ଯାଂତ୍ରିକତାରୁ ମୁକୁଳି ନ ପାରିଲେ କୌଣସି ମୁକ୍ତ ଚେତନାକୁ ଧାରଣ କରିବା କବିତା ପକ୍ଷରେ ସଂଭବ ହେବ ନାହିଁ । ତେଣୁ କବିତା ମୋ’ ପାଇଁ ମୁକ୍ତ ଓ ମୁକ୍ତିର ଧାରକ । ଏଇ ଧରିରଖିବାର ପ୍ରକ୍ରିୟାଟି ମଧ୍ୟ ଯାଂତ୍ରିକ ନୁହେଁ । କାକର ବିଂଦୁ ସୂର୍ଯଂକୁ ଧାରଣ କରିବାର ପ୍ରକ୍ରିୟାଟି କ’ଣ ଏହିପରି ନୁହେଁ?

ତେବେ ମହାକାବ୍ୟର ପ୍ରସଂଗ ଆଜିର କବିତା ପରିପ୍ରେକ୍ଷୀରେ ଅପ୍ରାସଂଗିକ ମନେ କରାଯାଇପାରେ । ହେଲେ ଉଚ୍ଚାଂଗ ସାହିତ୍ୟର କଥା ଆଲୋଚନା କଲାବେଳେ ତାର କାନଭାସ ମହତ୍ ଦେଶ ପରି ମହାନ୍ ହେବା ଦରକାର- ଏ କଥାକୁ ଅସ୍ଵୀକାର କରାଯାଇ ପାରିବ ନାହିଁ । ସେ କାବ୍ୟଭାଷା ପୁଣି ଜାତୀୟ ଭାଷାର (କୌଣସି ଭୌଗଳିକ ଦୃଷ୍ଟି କୋଣରୁ ନୁହେଁ, ବରଂ ସାମାଜିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ଭାଷାପାଇଁ ଜାତୀୟତାର ପ୍ରତୀକ ରୂପେ ଗ୍ରହଣ କରାଯିବା ଦରକାର) ମର୍ଯାଦା ଓ ପରାକାଷ୍ଠା ଦେଖାଇବାକୁ ସମର୍ଥ ହେଉଥିବା ଦରକାର । କାବ୍ୟନାୟକମାନେ ସେମାନଂକ ଚଳଣିରେ ଶାଳୀନତା ଓ ରୁଚିବୋଧର ପରିସ୍ପୁଟନ ଘଟାଇବା ଦରକାର । କାବ୍ୟର ସଂଯୋଜନା ଓ ବିସ୍ତାର ସେହିପରି ସୁଦୂରପ୍ରସାରୀ ହେବାର ଆବଶ୍ୟକତାକୁ ମଧ୍ୟ ଅସ୍ଵୀକାର କରାଯାଇପାରିବନାହିଁ । ଏ ସବୁ କଥାକୁ ଗୁଂଥିବା ଓ ପରିବେଷଣ କରିବାର ଚାତୁରୀ କବିର କବିତ୍ବକୁ ହିଁ ପରିପ୍ରକାଶ କରିଥାଏ । ସେଇ କବିତ୍ବ ଟିକକ କବିକୁ, ତା’ର ଭୂମିକୁ, ଭୂମାକୁ, ତା’ର ଜୀବନକୁ, ତା’ର ଆଦର୍ଶକୁ ଗୋଟାଏ ଚରମ ଉତ୍ତରଣର ସୋପାନାରେ ପହଂଚାଇଦେଇପାରେ । ସେଠି ଜୀବନ ତା’ ପାଇଁ ଯଜ୍ଞ, ସୗେଂଦର୍ଯ ବା ପ୍ରେମ ତା’ ପାଇଁ ଆହୁତି, ମହାକାଶ ତା’ ପାଇଁ ବିସ୍ତାର ଓ ମହାସମୁଦ୍ର ତାକୁ ପ୍ରଜ୍ଞା ପ୍ରଦାନ କରେ । ତାକୁ ସ୍ଥିତପ୍ରଜ୍ଞ ତପସ୍ଵୀଟିଏ କରିଦିଏ । ତା’ର ଉର୍ଧ୍ରେ ତା କାବ୍ୟସତ୍ତା ସମଗ୍ର ପୃଥିବୀକୁ ଶାଂତ ଓ ମଧୁର କରିଦିଏ:

ମଧୁବାତା ରତାୟତେ ମଧୁ କ୍ଷରଂତି ସିଂଧବଃ…

ବହୁ କମ୍ କବିଂକୁ ଏହି ମଧୁ-ସ୍ପର୍ଶ ଟିକକର ଭାଗ୍ୟ ମିଳିଥାଏ । ତେବେ ସକଳ ଜାଗତିକ ଯାତ୍ରା ଭିତରେ ବି ଗୋଟାଏ କାବ୍ୟସତ୍ତା ଅହରହଃ ଖୋଜିଚାଲିଥାଏ କବିତାର ବିପୁଳ ଭଂଡାରରୁ କାଣିଚାଏ କରୁଣାକୁ ଲାଭ କରିବା ପାଇଁ । ‘ସିଂହାସନ’ ଯଦି ସେହି ଖୋଜିବା ପଣକୁ ବଂଚାଇ ରଖିପାରିବ ବୋଲି ପାଠକ ଅନୁଭବ କରିବେ ତେବେ ତାହା ସମଗ୍ର ଓଡ଼ିଆ ସାହିତ୍ୟ ପାଇଁ ଆଶ୍ଵାସନାର ବିଷୟ ହେବ । ଯୋଡ଼ିବାର, ସଂପର୍କ ସ୍ଥାପନ କରିବାର ତରିକା ଆଂଗିକ ନୁହେଁ ଆତ୍ମିକ, ବିଶ୍ଵାସଟିଏ ମୋ’ ଭିତରେ ବଳବତ୍ତର ହୋଇ ଉଠିବ । କୃତଜ୍ଞତାର, ବିନମ୍ରତାର ସ୍ମିତଟିଏ ସବୁଦିନ ପାଇଁ ଲାଖିରହିବ ମୋର ଏଇ ପାର୍ଥିବ ମୁହଁଟାରେ । ଯେଉଁଠୁ ମୁଁ ଆରଂଭ କରିଥିଲି ‘ସିଂହାସନ’ର ପ୍ରଥମ ଯାତ୍ରା, ଶେଷ ବେଳକୁ ମୁଁ ଦେଖୁଛି, ମୁଁ ସେଇଠି ହିଁ ପହଂଚିଛି । ଏକ ବୃତ୍ତାକାର, ଏକ ଗୋଲାକାର ପୃଥିବୀରେ “କେଉଁଠୁ ଆରଂଭ ପୁଣି କେଉଁଠି ଶେଷ ବା ତା’ର” କିଏ କହିବ?

‘ସିଂହାସନ’କୁ କାବ୍ୟରୂପେ ଦେଲାବେଳେ ମୋ’ ଭିତରକୁ କେତେ ଲୋକକାହାଣୀ, କିଂବଦଂତି, ପୁରାଣ, ଇତିହାସ, ସାଂପ୍ରତିକ ରାଜନୀତି ପଶି ଆସିଛଂତି, ଆଇ ଗୋଟାଏ ରୂପ ଭିତରକୁ ଲଂଫ ଦେବାର ଆକାଂକ୍ଷାରେ । ସମସ୍ତଂକୁ ସମାନ ମର୍ଯାଦା ପ୍ରଦାନ କରି ଭିନ୍ନ ପୃଥିବୀଟିଏ ଗଢ଼ିବାର ଛୋଟିଆ ଶକ୍ତିଟିଏ ମୋ’ ଭିତରେ ଖୋଜି ପାଇବାକୁ ମୁଁ ସମର୍ଥ ହୋଇଛି କି ନାହିଁ ମୁଁ ଜାଣିନାହିଁ । ସେ ସକଳ କଥାକୁ ଗ୍ରହଣ କଲାବେଳେ ମୁଁ କୌଣସି ଚତୁର ପଣର ଶିକାର ହୋଇନାହିଁ ବୋଲି ଭାବୁଛି ।

ଅନ୍ୟ ପକ୍ଷରେ ଗୋଟାଏ ତୁଚ୍ଛା ପ୍ରବଣତା ମଧ୍ୟ ମୋତେ ଆଚ୍ଛନ୍ନ କରି ରଖିନାହିଁ । କବିତାଗୁଡ଼ିକ ଭିତରେ ଯେଉଁ ଅନ୍ତରୀଣ ପ୍ରବାହଟି କଳନାଦ କରିଛି ତାହା ବିପ୍ଳବର କି ପ୍ରେମର ମୁଁ କହିପାରିବି ନାହିଁ । ତେବେ ସେ ପ୍ରବାହ ଯଦି ଏକ ମୁକ୍ତ ପ୍ରବାହ ଓ ମୁକ୍ତିକାମୀ ସବୁ ମଣିଷର ଶୀତଳ ବିଦ୍ରୋହ ସେ ପ୍ରବାହର ଅଂତରୀଣ ତେଜ ବା ଅଗ୍ନି, ସେଇ ଅଗ୍ନି ଟିକକ ହିଁ ମୋ ପାଇଁ ଏକ ମହାନ୍ କାବ୍ୟ ପ୍ରେରଣା । ସେଇ ପ୍ରେରଣାରେ ମୁଁ ସିଂହାସନର ଶାଂତ, କୋମଳ, ଭୀଷଣ ଓ ବୀଭତ୍ସ ରୂପମାନଂକୁ ଦେଖିବାକୁ ଚେଷ୍ଟା କରିଛି । ପୁଣି ସେ ସବୁକୁ ଗୋଟିଏ ଗ୍ରଂଥିରେ ଯୋଡ଼ିବାକୁ ଚେଷ୍ଟା କରିଛି । ତାରି ଭିତରେ ଏକ ସମୟରେ ଜୀବନର ନିଷ୍କର୍ଷ ଓ ଅସାରତାକୁ ଦେଖିଛି ତେବେ ସିଂହାସନରେ ପୁଣି ପ୍ରାଣଟିଏ ଖୋଜିବାକୁ ଚେଷ୍ଟା କଲାବେଳେ ସିଂହାସନ (ମୋ’ ପାଇଁ) ନିଜେ କାବ୍ୟ ପୁରୁଷଟିଏ ହୋଇ ଯାଇଛି କି? ଜାଣିନାହିଁ । କିଏ କହିବ କବିତା ସିଂହାସନ ହୋଇଯାଇଛି କି ସିଂହାସନ କବିତା ହୋଇଯାଇଛି?

ହଁ, ଏଥିରେ ସଫଳତାର ବା ବିଫଳତାର କଥା କିଛି ନାହିଁ । ଅସଲ କଥା ହେଉଛି ଯାତ୍ରାକୁ ଜାରି ରଖିବା, ଖୋଜିବାପଣକୁ ବଂଚାଇ ରଖିବା । ମଂତ୍ରଟିଏ ଉଚ୍ଚାରଣ କରିବା, ମଂତ୍ରମୁଗ୍ଧ କରିବାର ପ୍ରୟାସରେ ନୁହେଁ, ମଂତ୍ର ଗୁଣଟିକୁ ସର୍ବଜନୀନ ଓ ସାର୍ବଭୌମ୍ୟ ଶକ୍ତିଟିଏ ପ୍ରଦାନ କରିବାର ତପସ୍ୟା ନେଇ । ସେତେବେଳେ ମହାଶକ୍ତିଟି ଆବରଣ ଭିତରେ ସୀମାବଦ୍ଧ ହୋଇ ରହିବ କି ଉନମୁକ୍ତ, ଉଲଗ୍ନ ହୋଇ ଖେଳି ବୁଲିବ ସେ କଥା ପଚାରିବାର ଆବଶ୍ୟକତା ପଡ଼ିବନାହିଁ । ମୁଁ ନିଃସର୍ତ ଭାବରେ କବିତା ହିଁ ଲେଖିଛି । ତେବେ ସେ କବିତାରେ ଯାହା ସବୁ କହିବାକୁ ଚାହିଁଥିଲି, ସେ ସବୁ କଥାକୁ ଉଚ୍ଚାରଣ କଲାବେଳେ ମୁଁ ଈପ୍ ସିତ ଶବ୍ଦମାନଂକୁ ତୋଳି ଆଣି ପାରିଲି ନାହିଁ କି ନାହିଁ ଜାଣିନାହିଁ । ଯାହା ପାରିଛି ତାହା କବିତାର ସାମର୍ଥ୍ୟ । ଯାହା ନ ପାରିଛି ସେ ଅସାମର୍ଥ୍ୟ କବିର ଭାଗ୍ୟର । ସେଇ ଭାଗ୍ୟକୁ ନେଇ ମୋତେ ଶବ୍ଦମାନଂକୁ ଓ କବିତାକୁ ଖୋଜିବାକୁ ପଡ଼ିବ । ଖୋଜିବାପଣକୁ ବଂଚାଇ ରଖିବାକୁ ପଡ଼ିବ । କବିତା ମୋ’ ପାଇଁ ପ୍ରେରଣା, କବିତା ମୋ’ ପାଇଁ ପ୍ରାଣ ଓ ପ୍ରଣୟ । ଏଥିରେ ମୋ ଦ୍ରଷ୍ଟାପଣ କିଛି ନାହିଁ, ମାତ୍ର ଦୃଷ୍ଟିଟିଏ ଅଛି । ସେହି ଦୃଷ୍ଟି ହିଁ କବିତା ଗୁଡ଼ିକ ନିକଟରେ ମୋର ଅଂଗୀକାର । ଗୋଟାଏ ପ୍ରବଳ ଆତ୍ମିକ ଆହ୍ବାନକୁ ଦେହ ଓ ଦେହର ଉର୍ଧ୍ରେ ଅନୁଭବ କରି ଶବ୍ଦରେ ଶବ୍ଦକୁ

ଯୋଡ଼ିବାର ପ୍ରୟାସରୁ ଯଦି ପାଠକ ନିକଟରେ(ଲେଖକ ନିକଟରେ ମଧ୍ୟ) କବିତାଟିଏ ପହଂଚି ପାରିଲା, ତେବେ ତାହା ମୋ’ପାଇଁ ଓ ଆଉ ଜଣେ ସମଧର୍ମା ପାଇଁ ଗୋଟାଏ ଅନିର୍ବଚନୀୟ ଆନଂଦର କାରଣ ହେବ ହିଁ ହେବ । ସାଧାରଣ ମଣିଷର ସହଜ ଦୁଃଖ ବା ସୁଖର କାହାଣୀ ଯେତେବେଳେ କବିତାକୁ ରୂପାଂତରିତ ହୁଏ, ସିଏ ସାଧାରଣ ଦୁଃଖ କି ସୁଖ ହୋଇ ରହେନାହିଁ । ସେ କାଉ ବସାରୁ କୋଇଲି ଶାବକ ଉଡ଼ିଯିବାର ବିସ୍ମୟ । ସେହି ବିହ୍ବଳପଣକୁ ଯଦି ଘେରି ରହିଥାଏ ଗୋଟାଏ ମାୟା, ଗୋଟାଏ ସଂଶୟ ଭାବ, ତେବେ ସେ ମାୟା, ସେ ସଂଶୟ ହିଁ ରୂପାଂତରିତ ହୋଇପାରିବ ବ୍ରହ୍ମକୁ ଖୋଜିବାର ଦାର୍ଶନିକତାକୁ । ମଣିଷ ମନର ସଂଶୟ ଯେପରି ବ୍ରହ୍ମକୁ ଚିହ୍ନିବା ପାଇଁ ମଣିଷ ହୃଦୟରେ ତପସ୍ୟାଟିଏ ରଚନା କରିଦିଏ, ସେମିତି ସବୁ ଶଂକା, ସବୁ ସଂଦିଗ୍ଧତାକୁ ଆଉଁଶି ଦେଇ ମଣିଷକୁ ଭଲପାଇବାର ଅଗ୍ରହଟିକୁ ଆମେ କ’ଣ କହିବା: ତପସ୍ୟା ନା କବିତା? ଯେତେବେଳେ ସେଇ କବିତା ଗୋଟିଏ ହାତରୁ ଆଉ ଗୋଟିଏ ହାତକୁ, ଗୋଟିଏ ପ୍ରାଣରୁ ଆଉ ଗୋଟିଏ ପ୍ରାଣକୁ, ଗୋଟିଏ ମୁଦ୍ରାରୁ ଆଉ ଗୋଟିଏ ମୁଦ୍ରାକୁ ସଂଚରି ଯିବ ସେତେବେଳେ ସବୁଠି କବିତା ନୁହେଁ, ସବୁ ହୃଦୟ କବିର ହୃଦୟ ହୋଇଯିବ । ଏହିପରି ସ୍ଵପ୍ନ ମନକୁ ସହଜରେ ଆସି ଯାଏ ନାହିଁ କି?

ସିଂହାସନର ସମସ୍ତ ଶ୍ଳୋକ ୧୯୮୫ ରୁ ୧୯୯୫ ସମୟ ସୀମା ଭିତରେ ଲେଖା ଯାଇଅଛି ଓ ବାରଂବାର ମୋ ଅସଂତୋଷର ଗୋଟାଏ ଧାରୁଆ ଛୁରି ସେଗୁଡ଼ିକ ଉପରେ ଅସ୍ତ୍ରୋପଚାର କରିଛି । ଗୋଟାଏ ଶେଷ ସଂତୋଷ ମିଳିବା ପୂର୍ବରୁ ସିଂହାସନ ଯଦି ସର୍ବ ସମ୍ମୁଖରେ ବିଗ୍ରହଟିଏ ପରି ଠିଆ ହୋଇପାରୁଛି, ମୁଁ ସାମାନ୍ୟ ଦୂରରୁ ସେ ବିଗ୍ରହକୁ ଅନେଇ ଅନେଇ ଭାବୁଛି ସତରେ ସିଂହାସନ ପୁଣି କବିତା ହେଲା କେମିତି? ତାହା ହିଁ ବୋଧହୁଏ କବିତାର ଭାଗ୍ୟ । କବିତା ଏକ ଉତ୍ତରିତ ସତ୍ତା । ଏକ ସର୍ଜନା । ଏକ ନବ ନିର୍ମାଣ ।

କବିତା ଲେଖା ସରିଛି । କାଂଧ ଉପରେ ବେତାଳର ଆରୋହଣରୁ ଆପାତତଃ ମୁକ୍ତି ମିଳିଲା ପରି ଲାଗୁଛି । ତେବେ କାବ୍ୟରୁ, କାବ୍ୟିକତାରୁ ମୁକ୍ତି ପାଇଛି କି କେବେ ଜାଣି ନାହିଁ । ଏଠାରେ ସ୍ପଷ୍ଟ କରିଦେବା ଉଚିତ୍ ହେବ ଯେ ଏହି ଅବତରଣିକା ମୋ କବିତାର ମୁଖବଂଧ ନୁହେଁ । କବିକାକୁ ମୁଁ କିପରି ବୁଝିଛି, କବିତା କିପରି ମୋ ପାଇଁ ପ୍ରେରଣାର ଉତ୍ସ ହୋଇଛି ସେହି କଥା କହିବାକୁ ଚେଷ୍ଟା କରିଛି । ଏଣିକି ପାଠକର ସହୃଦୟତା କି ଉଦାସ ନିରଗ୍ରହତା ସେମାନଂକ ଭାଗ୍ୟର ନିୟାମକ ହେବ, ତାହା ମୋତେ ଜଣାନାହିଁ । ଅଧିକ ନିଷ୍ପ୍ରୟୋଜନ ।

Share this poem