କବିତା ୧
Saved places & passages
Select words to underline them. Saved on this device.
ସବୁ ଠିକ୍ ଥିଲା-
ଗାଈ ଚରୁଥିଲେ
ସାରା ପଡ଼ିଆରେ,
ଚାରଣ ଭୂଇଁର ଗାଲିଚାରେ
ଘାସଫୁଲ ଫୁଟୁଥିଲା
ହରେକ ରଂଗରେ,
ଗାଈଆଳ ପିଲା
କଦଂବ ତାଳରୁ
ଫୁଂକୁଥିଲା ଶୁଷୁରି,
ସାପ ଓ ସରୀସୃପମାନେ
ଶୁଣୁଥିଲେ ଗୀତ;
ଝଗଡ଼ାରେ ସୁତ୍ରପାତ ହେଲା,
କାମିନୀ କାଂଚନ କିଛି ବି ନଥିଲାକ
ଝଗଡ଼ା ବଢ଼ିଲା ।
ଭାଳେଣି ପଡ଼ିଲା:
ଘଟିଯିବ କି
ଗୋଟାଏ ଅଘଟଣ ?
ଜଳି ଯିବ କି ଗାଁ ଗିଲବଣ?
ଉଡ଼ାଇନେବ କି ପବନ ଦେହରୁ ବସନ?
ଲିଭିଯିବ କି
କଦଂବ ଡାଳରୁ ଭାସି ଆସୁଥିବା ବଂଶୀସ୍ଵନ?
ଝଡ଼ିପଡ଼ିବେ କି ଖଂଡ ଖଂଡ ହୋଇ
ନଭ ଓ ନକ୍ଷତ୍ରମାନ?
ଉଡ଼ିଯିବ କି
ମୁଠାଏ ପାଉଁଶ ହୋଇ
ପ୍ରଚଂଡ ସୂର୍ଯର ତେଜ ଓ ଗୁମାନ?
ଛିଡ଼ିଯିବ କି
ଯୋଡ଼ିବାର ସବୁ ସୁତ୍ର
ମନକୁ ମନ?
ଅରାଜକତା ଅଜଗର
ଗିଳିଦେବ କି
ଦେଶ ଓ ଶାସନ?
ଏମିତି ଆକାଶେ ଆଶଂକାକୁ ମିଛ କରି
କେଉଁଠି ଥିଲା କେଜାଣି,
ଦଉଡ଼ି ଆସିଲା
ସୁନା ରଂଗର ସକାଳ ପରି
ସୁଠାମ ଟୋକାଟିଏ,
ଉଁଚା ମାଟି ଗଦା ଉପରୁ
ନିର୍ଦେଶିଲା ରାଜାର ଠାଣିରେ,
ସାଂଗ ସାଥୀମାନେ ପ୍ରଜା ପରି
ବସିରହିଲେ ତଳେ,
ହଟ୍ଟଗୋଳ ଲିଭିଗଲା
ମୁହୂର୍ତ୍ତ ମଧ୍ୟରେ ।
ବିକ୍ରମାଦିତ୍ୟମାନଂକର
କିଛି କରାମତି ନ ଥିଲା,
ମାଟି ଖୋଳୁ ଖୋଳୁ ଜଣାପଡ଼ିଲା-
ଉଁଚା ମାଟିଗଦା ତଳେ
ସିଂହାସନ ଲୁଚି ରହିଥିଲା ।
Page 02
