କବିତା ୫୬
Saved places & passages
Select words to underline them. Saved on this device.
କାଉ କି କୋଇଲି
କାହାରି ସ୍ଵର ଆଉ ଶୁଭୁ ନଥିଲା
ପୋଡ଼ା ବନରେ,
ମାଛିଟିଏ ବି ଗଣଗଣଉ ନ ଥିଲା
କେଉଁ ନରକ କୁଂଡରେ ।
ସେ ବସିଥିଲେ ଏକୁଟିଆ
ଭଂଗା ଚଉକି ଉପରେ
ଆଂଠୁ ଟେକି,
ପାପୁଲିରେ ମୁଂଡ ଥୋଇ
ଅଧୋମୁଖ ହୋଇ,
ସବୁ କିଛି ଚାଲିଯିବାର
ଅର୍ଖିତ ଭଂଗୀରେ ।
କିଏ ଜାଣିଥିଲା
ଚଡ଼କ ପଡ଼ିଲା ପରି ମିଆଦ ପୂରିଯିବ,
ବିଧି ଅବିଧି ନ ଥିବ ସେଥିରେ,
ପାଖଲୋକମାନେ ଛିନ୍ଛତ୍ର ହୋଇଯିବେ,
ମହୁମାଛିମାନେ ଉଡ଼ିଯିବେ ନୂଆ ରାଣୀଟିଏ ଖୋଜି,
ଦରବାର ପଡ଼ିଯିବ ଖାଲି ।
ଥରେ ସେ ଶିଉଳିରେ ଗୋଡ଼ ଖସିଗଲେ
ପଛ ଧାଡ଼ିରେ ବସୁଥିବା ମାଖୁନା ମାଧିଆକୁ
କଂଢେଇଟେ ପରି ଥୋଇ ଦିଆଯିବ
ସିଂହାସନ ଉପରେ,
କଟୁଆଳ ଘର ଖାନତଲାସ କରିବାକୁ ପହଂଚିଯିବ
ଓ ଏ ଯାବତ୍ ସାଲ୍ୟୁଟ୍ ମାରୁଥିବା ସିପାହୀ
ଅଚାନକ ଗଳାରେ ଅର୍ଧଚଂଦ୍ର ଦେଇ ଓଟାରି ଆଣିବ
ଫିଂଗିଦେଇ ଆସବାପତ୍ର ।
ଗାଦିଚ୍ୟୁତ ମହାରାଜା ଥରୁଥିବେ
କାଳେ ହିସାବ ବହିର୍ଭୁତ ଆୟ
ଧରା ପଡ଼ିଯିବ
ବେପାରୀଂକ ଟିପାଖାତାରୁ
ମିଳିଯିବ ତାଂକ କୃତକର୍ମର
ସବୁ ଚାଂଚଲ୍ୟକର ଇତିହାସ
ଓ ବଂଦିଶାଳାର ନିର୍ଜନ ବଖରାଟିଏ
ମିଳିଯିବ ତାଂକୁ ସବୁଦିନ ପାଇଁ ।
ପିଲା କବିଲା କେହି ନ ଥିବେ ପାଖରେ,
ଚା’ କପ୍ ଧରି ସୁଂଦରି ସୌଦାମିନୀ
ଗେହ୍ଲାହେବା ପାଇଁ ଆଉ ଆସୁ ନ ଥିବେ,
ଗଜଦଂତ ପଲଂକ ନ ଥିବ,
ସଂଗ୍ରାମୀ ଭତ୍ତା ପାଉଥିବା ବାପା
କେଉଁ ଦୂର ଗାଁରେ
ଆତ୍ମହତ୍ୟା କରିଦେଇଥିବେ ଲଜ୍ୟାରେ
ଗଳାରେ ଦଉଡ଼ି ଲଗାଇ
ଓ ଲେଖା ଖଂଡେ ଛାଡ଼ି ଯାଇଥିବେ
ତାଂକ ମୃତ୍ୟୁ ପାଇଁ ବେଳକାଳ ଦାୟୀ ।
Page 57
